ସିଡନୀ,୦୬/୦୯: ଆଗାମୀ ଆଇସିସି ଦିନିକିଆ ବିଶ୍ୱକପ୍ ପାଇଁ ଶୁକ୍ରବାର ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇଛି । ସ୍ପିନର ସୋଫି ମୋଲିନ୍ୟୁକ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନ୍ୟ ପଟରେ ଗତ ସଂସ୍କରଣରେ ଚାମ୍ପିଅନ୍ ଦଳର ସଦସ୍ୟ ଥିବା ୧୦ଜଣ ଖେଳାଳି ସ୍ଥାନ ବଜାୟ ରଖିଛନ୍ତି । ସେହିପରି ଫୋଏବ ଲିଚଫିଲ୍ଡ, ଜର୍ଜିଆ ଭଲ, ଜର୍ଜିଆ ୱାରେହାମ୍, କିମ୍ ଗାର୍ଥ ଓ ଗ୍ରେସ୍ ହ୍ୟାରିସ୍ ଦିନିକିଆ ବିଶ୍ୱକପ୍ ପଦାର୍ପଣ କରିବାକୁ ଯାଉଛନ୍ତି । ଅଭିଜ୍ଞ ବ୍ୟାଟର ଆଲିସା ହିଲି ଦଳର ନେତୃତ୍ୱ ନେବେ। ବିଶ୍ୱକପ୍ ପାଇଁ ଘୋଷିତ ଦଳ ଘରୋଇ ଭାରତ ବିପକ୍ଷରେ ୩ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (୧୪ରୁ ୨୦ତାରିଖ) ଖେଳି ପ୍ରସ୍ତୁତି କରିବ । ଅଷ୍ଟ୍ରେଲିଆ ସର୍ବାଧିକ ୭ଥର ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ।
ଗତ ସଂସ୍କରଣରେ ଦଳ ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ୭୧ରନ୍ରେ ପରାଜିତ କରିଥିଲା । ହିଲି ୧୭୦ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ । ଆସନ୍ତା ୩୦ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବ । ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରୁଛନ୍ତି । ଅଷ୍ଟ୍ରେଲିଆ ଅକ୍ଟୋବର ୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।
ଅଷ୍ଟ୍ରେଲିଆ ଦଳ: ଆଲିସା ହିଲି (ଅଧିନାୟିକା), ଡାର୍ସି ବ୍ରାଉନ, ଆସଲି ଗାର୍ଡନର, କିମ୍ ଗାର୍ଥ, ଗ୍ରେସ ହ୍ୟାରିସ୍, ଆଲାନା କିଙ୍ଗ୍, ଫୋଏବ ଲିଚଫିଲ୍ଡ, ତହଲିଆ ମ୍ୟାକ୍ଗ୍ରା, ସୋଫି ମୋଲିନ୍ୟୁକ୍ସ, ବେଥ ମୁନି, ଏଲିସ୍ ପେରୀ, ମେଗାନ ସ୍କଟ୍, ଆନ୍ନାବେଲ ସୁଦରଲାଣ୍ଡ, ଜର୍ଜିଆ ଭଲ, ଜର୍ଜିଆ ୱାରେହାମ୍