ନୂଆଦିଲ୍ଲୀ,୨୯/୧୧: ମହିଳା ପ୍ରିମିୟର  ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ତୃତୀୟ ସଂସ୍କରଣ ପାଇଁ  ଆସନ୍ତା ୧୫ ତାରିଖରେ ବେଙ୍ଗାଲୁରୁ ଠାରେ ମିନି ନିଲାମ ଅନୁଷ୍ଠିତ ହେବ । ଏଥିରେ ୫ଟି ଯାକ  ଫ୍ରାଞ୍ଚାଇଜ ଦଳ ମୋଟ ୧୫କୋଟି ଟଙ୍କାରେ ନିଜ ନିଜ ପସନ୍ଦର ଖେଳାଳି କିଣିବେ । ଗତ ବର୍ଷ  ମିନି ନିଲାମ ପାଇଁ ୧୩.୫କୋଟି ଟଙ୍କା ରହିଥିଲା ।  

ଆସନ୍ତା ନିଲାମରେ ଇଂଲଣ୍ଡର ହିଦର ନାଇଟ୍‌, ନ୍ୟୁଜିଲାଣ୍ଡର ଲି ତାହୁହୁ, ୱେଷ୍ଟଇଣ୍ଡିଜର ଡିଣ୍ଡ୍ରା  ଡଟିନ, ଭାରତର ସ୍ନେହ ରାଣା, ପୁନମ ଯାଦବ,  ବେଦା କ୍ରିଷ୍ଣମୂର୍ତ୍ତୀଙ୍କ ଭଳି ତାରକା ଖେଳାଳି ମୁଖ୍ୟ  ଆକର୍ଷଣ ହେବେ । ଗତ ୭ ତାରିଖରେ ଖେଳାଳି  ପ୍ରତିଧାରଣ ତାଲିକା ଘୋଷଣା ହୋଇଥିଲା । ୫ଟି  ଯାକ ଫ୍ରାଞ୍ଚାଇଜ ମୋଟ ୭୧ଜଣ (୨୫ ବିଦେଶୀ)  ଖେଳାଳିଙ୍କୁ ରଖି ଅନ୍ୟ ଖେଳାଳିଙ୍କୁ ନିଲାମ  ପାଇଁ ମୁକ୍ତ କରିଥିଲେ । ମିନି ନିଲାମ ପାଇଁ ଦିଲ୍ଲୀ  କ୍ୟାପିଟାଲ୍ସ ନିକଟରେ ଆଉ ଅଢ଼େଇ କୋଟି ଟଙ୍କା  ରହିଛି । ଏହି ଅର୍ଥରେ ଦଳ ଖାଲି ଥିବା ୪ଟି ସ୍ଥାନ ପୂରଣ କରିବ । 

ସେହିପରି ଗୁଜରାଟ ଜାଏଣ୍ଟ୍‌ସ  ପାଖରେ ୪.୪କୋଟି (୪ସ୍ଥାନ ଖାଲି), ମୁମ୍ବାଇ  ଇଣ୍ଡିଆନ୍ସ ପାଖରେ ୨.୬୫କୋଟି (୪ଟି ସ୍ଥାନ  ଖାଲି), ଡିଫେଣ୍ଡିଂ ଚାମ୍ପିଅନ୍‌ ରୟାଲ୍‌ ଚ୍ୟାଲେଞ୍ଜସ  ବେଙ୍ଗାଲୁରୁ ପାଖରେ ୩.୨୫କୋଟି (୪ଟି ସ୍ଥାନ  ଖାଲି) ଏବଂ ୟୁପି ୱାରିୟର୍ସ ପାଖରେ ୩.୯କୋଟି  ଟଙ୍କା (୩ଟି ସ୍ଥାନ ଖାଲି) ରହିଛି ।