ବ୍ରହ୍ମପୁର,୦୧/୧୨: ଆଜି ବିଶ୍ୱ ଏଡ୍ସ ଦିବସ। ଡିସେମ୍ବର ୧ରେ ପ୍ରତିବର୍ଷ ପାଳିତ ହୋଇଥାଏ । ଏହା ଏଡ୍ସ (AIDS)ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ପାଳନ କରାଯାଇଥାଏ । ପ୍ରତିବର୍ଷ ଏହି ଦିବସର ବାର୍ତ୍ତା ଭିନ୍ନ ଭିନ୍ନ ହୋଇଥାଏ । ଏ ବର୍ଷର ଥିମ୍ ରହିଛି 'Overcoming disruption, transforming the AIDS response' ,। ତେବେ ଦେଶର ଟପ୍ ଟେନ୍ ତାଲିକାରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ରହିଛି ।
ଏଡ୍ସ ଯନ୍ତ୍ରଣାରେ ଗଞ୍ଜାମ ଜିଲ୍ଲା । ସଂକ୍ରମଣ କମିଥିଲେ ମଧ୍ୟ ଦେଶରେ ଏଡ୍ସ ପ୍ରବଣ ଜିଲ୍ଲାମାନଙ୍କ ମଧ୍ୟରେ ଟପ୍ ୧୦ ତାଲିକାରେ ଗଞ୍ଜାମ ରହିଛି । ରାଜ୍ୟର ସର୍ବାଧିକ ରୋଗୀ ଏହି ଜିଲ୍ଲାରୁ । ଦେଶରେ ୮ନମ୍ବର ଏଡ୍ସ ପ୍ରବଣ ଜିଲ୍ଳା ଭାବେ ପରିଗଣିତ । ଯଦିଓ ଜିଲ୍ଲାରେ ପୂର୍ବପେକ୍ଷା ରୋଗୀ ସଂଖ୍ୟା କମୁଛି ତଥାପି ଗଞ୍ଜାମ ହଟ୍ସ୍ପଟ୍ରେ ରହିଛି । ଅନେକ ପରିବାର ଛାରଖାର ହୋଇଛନ୍ତି ଏବଂ ଅନେକ ଶିଶୁ ଅନାଥ ଜୀବନ କାଟୁଛନ୍ତି । ତଥାପି ଜିଲ୍ଲାରେ ଏଡ୍ସ ଯନ୍ତ୍ରଣା ସରିନାହିଁ ।
ଡିସେମ୍ବର୧ ତାରିଖକୁ ଏଡ୍ସ ଦିବସ ଭାବେ ପାଳନ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ଗଞ୍ଜାମ ଜିଲ୍ଲାରେ କିନ୍ତୁ ଏବେ ବି ଅନକେ ନିଜର ଭୁଲ ପାଇଁ ଏଡ୍ସ ଭଳି ମାରାତ୍ମକ ରୋଗ କିଣୁଛନ୍ତି ଏବଂ ନିଜ ପରିବାରକୁ ଦୁଃଖ ସାଗରରେ ଭସାଇ ଦେଉଛନ୍ତି । ଡ୍ସ୍ ପ୍ରିଭେନ୍ସନ୍ କଣ୍ଟ୍ରୋଲ୍ ୟୁନିଟ୍ରୁ ମିଳିଥିବା ସୂଚନା ପ୍ରକାରେ ଜାନୁଆରୀ ମାସରୁ ଅକ୍ଟୋବର ମାସ ମଧ୍ୟରେ ଜିଲ୍ଲାରେ ୪୬୪ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜାନୁଆରୀରୁ ଅକ୍ଟୋବର ମାସମଧ୍ୟରେ ୨୧୯୦୦୦ଜଣଙ୍କୁ କାଉନ୍ସେଲିଂ ଓ ଏଚ୍ଆଇଭି ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରେ ୪୬୪ଜଣ ପଜିଟିଭ୍ ବାହାରିଛନ୍ତି । ଜିଲ୍ଲାରେ ପୋଲସରା ବ୍ଲକ୍ରେ ସର୍ବାଧିକ ଆକ୍ରାନ୍ତ, ଏଠାରେ ମୋଟ ୧୩୫୪ଜଣ ରୋଗୀ ରହିଛନ୍ତି । ସବୁ ବ୍ଲକ୍ରେ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ୧୯୦୪୦ ରୋଗୀ ଅଛନ୍ତି ।ସେମାନଙ୍କ ମଧ୍ୟରେ ୧୦୯୮୮ ପୁରୁଷ ଓ ୫୮୧୯ ମହିଳା, ୧୬୪ଜଣ କିନ୍ନର,୯୯୨ ଜଣ ଶିଶୁ ଓ ୧୦୭୭ ଗର୍ଭବତୀ ଏଚ୍ଆଇଭି ପଜିଟିଭ୍ ଅଛନ୍ତି । ଏଆର୍ଟି (ଆଣ୍ଟି ରେଟ୍ରୋଭାଇରାଲ୍ ଥେରାପୀ)ସେଣ୍ଟରରେ ୧୮୦୫୪ଜଣ ପଞ୍ଜିକୃତହୋଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ୧୮୮୦ ଜଣ ରୋଗୀଙ୍କ ମୃତ୍ୟୁ ହେଲାଣି ।ଡିଷ୍ଟ୍ରିକ୍ଟ ଏଡ ପ୍ରିଭେନ୍ସନ୍ କଣ୍ଟ୍ରୋଲ୍ୟୁନିଟ୍ (ଡିଏପିସିୟୁ) ଡିପିଏମ୍ ରାଜେନ୍ଦ୍ରମହାରଣା କହିଛନ୍ତି ଏଡ୍ସ୍ ରୋଗୀଙ୍କ ପାଇଁବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।ରକ୍ତ ପରୀକ୍ଷା ପାଇଁ ୨୯ଟି ଆଇସିଟିସି ସେଣ୍ଟର ରହିଛି । ଭଂଜନଗର ଓ ବ୍ରହ୍ମପୁର ସିଟି ହସ୍ପିଟାଲ୍ ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ସେମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଉଛି । ଏହା ସହିତ ଆସିକା, ପୋଲସରା ଓ ଖଲ୍ଲିକୋଟରେ ତିନୋଟି ଲିଙ୍କ୍ ଏଆର୍ଟି ସେଣ୍ଟର ରହିଛି ।
ଏଡ୍ସ ସଂକ୍ରମଣ ରୋକିବା ଦିଗରେ କାମ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ‘ଅରୁଣା’ ନିର୍ଦ୍ଦେଶକ ଲୋକନାଥ ମିଶ୍ର କହିଛନ୍ତି ଏଡ୍ସ ବଢ଼ିବା ପରେ ସ୍ଥିର ଏବଂ ପରେ କମିବା ଆରମ୍ଭ ହେବା କଥା । କୋଭିଡ୍ ସମୟରେ ପରୀକ୍ଷା କମିଗଲା ଓପଜିଟିଭ୍ ସଂଖ୍ୟା କମିଗଲା । କିନ୍ତୁ ଏବେ ପରୀକ୍ଷା ବଢ଼ିବା ପରେ ପୁଣି ପଜିଟିଭ ସଂଖ୍ୟା ବଢ଼ିଯାଇଛି । ଯାହାର କାରଣ ସ୍ପଷ୍ଟ ଜଣାପଡିନି । ସେପଟେ ବିଭାଗୀୟ ମନ୍ତ୍ରୀମଧ୍ୟ ସ୍ୱୀକାର କରିଛନ୍ତି ଯେ, ପରୀକ୍ଷା ବଢ଼ିବାପରେ ପଜିଟିଭ୍ ବି ବଢ଼ୁଛନ୍ତି । ପୁଣି ଏ ଦିଗରେ ବୈଜ୍ଞାନିକ ଗବେଷଣା ଆବଶ୍ୟକ ରହିଛି ।
ଅହମ୍ମଦବାଦରେ ଇଣ୍ଡିଆନ୍ ନେଟୱାର୍କଅଫ୍ ଏନ୍ଜିଓସ୍ ଅନ୍ ଏଚ୍ଆଇଭି ଏଡ୍ସ (ଆଇଏନ୍ଏନ୍)ର ସମ୍ମିଳନୀ ହୋଇଥିଲା ।ଦେଶର ୩ଟି ରାଜ୍ୟରେ ଯଥା-ଓଡ଼ିଶା,ଅରୁଣାଚଳ ପ୍ରଦେଶ ଓ ଆସାମରେ ଏଚ୍ଆଇଭି ସଂକ୍ରମଣ ଯୁବକମାନଙ୍କ ଭିତରେ ବଢ଼ୁଥିବା ମତ ପ୍ରକାଶ ପାଇଥିଲା । ଗୋପାଳପୁର କଲେଜରେ ହୋଇଥିବା ସମ୍ମିଳନୀକୁ ଆଇଏନ୍ଏନ୍ ସଭାପତିଡ. ଶଙ୍କର ଚୌଧୁରୀଓ ବୋର୍ଡ ସଦସ୍ୟ ଯୋଗେନ୍ଦ୍ର ଉପାଧ୍ୟାୟ ଆସିଥିଲେ। ସେଠାରେ ମଧ୍ୟ ସେମାନେ କହିଥିଲେ ଯେ, ଏବେ ଓଡ଼ିଶା ଉପରୁ ଏଡ୍ସ ବିପଦ ଟଳିନାହିଁ । ଯୁବ ପିଢ଼ିଙ୍କୁ ସଚେତନ କରିବା ମୁଖ୍ୟ ଦାୟିତ୍ୱ ରହିଛି । ଗୁରୁତ୍ୱର ସହ ଏ ଦିଗରେ କାର୍ଯ୍ୟ ନକଲେ କେତେ ବର୍ଷ ହେଲେ ବି ଏଡ୍ସ ନିୟନ୍ତ୍ରଣ କରିହେବ ନାହିଁ।