ନୂଆଦିଲ୍ଲୀ ୧୨/୧୦: ପ୍ରତି ବର୍ଷ ଅକ୍ଟୋବର ୧୨ ତାରିଖରେ ପାଳିତ ହୁଏ ବିଶ୍ୱ ଆର୍ଥରାଇଟିସ୍‌ ଦିବସ । ୧୯୯୬ ମସିହା, ଆଜିର ଦିନ ପ୍ରଥମ ଥର ଏହି ଦିବସ ପାଳନ କରାଯାଇଥିଲା । ଆର୍ଥରାଇଟିସ୍‌ ଏକ ଖଞ୍ଜା ଜନିତ ସମସ୍ୟା । ଅନେକ ପ୍ରକାର ଆର୍ଥରାଇଟିସ୍‌ ଥିବାବେଳେ ସାଧାରଣତଃ ୨ ପ୍ରକାର ଆର୍ଥରାଇଟିସ୍‌ ଦେଖିବାକୁ ମିଳେ । ଅଷ୍ଟିଓଆର୍ଥରାଇଟିସ୍‌ ଓ ର୍ୟୁମାଟଏଡ୍‌ ଆର୍ଥରାଇଟିସ୍‌ । 

ଖଞ୍ଜାରେ ଥିବା ଟିସୁଗୁଡ଼ିକ ଖଞ୍ଜାର ଉଚିତ୍‌ କାର୍ଯ୍ୟକଳାପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଖଞ୍ଜାରେ ଯେକୌଣସି ପ୍ରକାର କ୍ଷତି ହେଲେ ଟିସୁକୁ ହାନି ପହଞ୍ଚିଥାଏ । ଫଳରେ ଆର୍ଥରାଇଟିସ୍‌ ସମସ୍ୟା ଉପୁଜେ । ଶରୀର ହାଡ଼ରେ ଥିବା ଖଞ୍ଜାଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖଞ୍ଜା ଯୋଗୁ ଆମେ ଆମର କହୁଣି, ଆଣ୍ଠୁ ଆଦିକୁ ବଙ୍କା କରିପାରୁ । ତେଣୁ ଏହାକୁ ସୁସ୍ଥ ରଖିବା, ଆର୍ଥରାଇଟିସ୍‌ ରୋଗଠୁ ଦୂରରେ ରହିବା ଏବଂ ଏହା ସହ ମୁକାବିଲା କରିବା ଏହି ଦିବସର ଉଦ୍ଦେଶ୍ୟ ।