ନୂଆଦିଲ୍ଲୀ ୦୨/୦୯: ବିଶ୍ୱର ସର୍ବାଧିକ ଉପାଦେୟ ବୃକ୍ଷ ହେଉଛି ନଡିଆ। ସ୍ୱାସ୍ଥ୍ୟ ଓ ସଂସ୍କୃତି ପ୍ରତି ଏହାର ଅବଦାନ ଅତୁଳନୀୟ। ଏହାର ଉପାଦେୟତା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ସେପ୍ଟେମ୍ବର ୨ ତାରିଖରେ ‘ବିଶ୍ୱ ନଡିଆ ଦିବସ’ ପାଳନ କରାଯାଏ।  ୨୦୦୯ ସେପ୍ଟେମ୍ବର ୨ ତାରିଖରେ ଏସିଆ ପ୍ୟାସିଫିକ୍‌ କୋକନେଟ କମ୍ୟୁନିଟି ଗଠନ କରାଯାଇଥିଲା।  ଏହାର ପ୍ରତିଷ୍ଠା ଦିବସ  ଉପଲକ୍ଷେ ବିଶ୍ୱ ନଡିଆ ଦିବସ ପାଳନ କରାଯାଏ। ନଡିଆ ଚାଷ ଓ ତାର ଉତ୍ପାଦନ କିପରି ବୃଦ୍ଧି କରାଯାଇପାରିବ , ତାହା ଉପରେ ଗୁରୁତ୍ୱ ପ୍ରଦାନ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ।  ଏହା ସହ ସ୍ୱାସ୍ଥ୍ୟ ପାଇଁ ନଡିଆର ଆବଶ୍ୟକତା ବିଷୟରେ ବି ସଚେତନତା ସୃଷ୍ଟି କରାଯାଇଥାଏ।  

ଭାରତରେ ଏହି ଦିବସକୁ କୋକୋନଟ୍‌ ଡେଭଲପମେଣ୍ଟ ବୋର୍ଡ ଦ୍ୱାରା ନଡିଆ ଚାଷ କରାଯାଉଥିବା ଅଞ୍ଚଳଗୁଡିକରେ ପାଳନ କରାଯାଉଛି। ଭାରତୀୟ ସଂସ୍କୃତିରେ ନଡିଆର ଗୁରୁତ୍ୱ ଯଥେଷ୍ଟ ଅଧିକ। ଭାରତରେ ମନ୍ଦିରରେ ପ୍ରମୁଖ ଦାନ ଭାବରେ ନଡିଆକୁ ଗ୍ରହଣ କରାଯାଏ। ବିବାହ, ବ୍ରତୋପନୟନ, ପର୍ବପର୍ବାଣି, ନୂତନ ଯାନବାହାନ କ୍ରୟବେଳେ ମଧ୍ୟ ଭଗବାନଙ୍କ ପାଖରେ ନଡିଆ ସମର୍ପଣ କରାଯାଏ। ଶୁଭ କଳସ ସ୍ଥାପନା ହେଉ କି ଭୋଗ କିମ୍ବା ପ୍ରସାଦରେ ନାସିଲଗା ନଡିଆ ବ୍ୟବହାର ତ ନିଶ୍ଚୟ ହୋଇଥାଏ। ସେହିଭଳି ନଡିଆ ଗଛର ସମସ୍ତ ଅଙ୍ଗ ଆମ କାମରେ ଲାଗେ। ନଡିଆର ରସରୁ ତେଲ, ନଡିଆ କତାରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଓ ସାଜସରଞ୍ଜାମ ପ୍ରସ୍ତୁତ ହୋଇଥାଏ। ନଡିଆ ଗଛର ଗଣ୍ଡିକୁ ଖୁଣ୍ଟ  ରୂପରେ ଏବଂ ବାହୁଙ୍ଗାକୁ ଛପର ରୂପରେ ବ୍ୟବହାର କରାଯାଇଥାଏ। ଦକ୍ଷିଣ ଭାରତରେ ନଡିାର ଉପଯୋଗ ବହୁ ଅଧିକ ସେଥିପାଇଁ ସେଠାରେ ଏହାକୁ ‘ସବୁଜ ସୁନା’ ବୋଲି କୁହାଯାଏ।