ମଥୁରାନଗରୀ,୭/୦୧:ଜମୁଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କୃଷ୍ଣ-ବଳରାମଙ୍କ ଲୀଳାରେ ଗୋପନଗରୀ କୃଷ୍ଣମୟ ହୋଇଯାଇଥିବାବେଳେ ମଥୁରାରେ ଭୟଭୀତ ହୋଇପଡ଼ିଛି କଂସାସୁର । ଚତୁର୍ଥ ଦିବସରେ ସୋମବାର ଷଡ଼ମଲ୍ଲଙ୍କ ନିଧନ, ବାଣାସୁର ପରାଜୟ, କଂସର ଶୋକ, ରାଣୀ ପଦ୍ମାବତୀଙ୍କ ଧନୁଶ୍ରୀ ଓଷା ଆଦି ଦୃଶ୍ୟ ଅଭିନୀତ ହୋଇଥିଲା । ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକ୍ରମରେ ପାଟିରେ ବିଶ୍ୱରୂପ ଦର୍ଶନ ଓ ଏହା ଦେଖି ମା’ ଯଶୋଦା ମୂର୍ଚ୍ଛିତ ହୋଇଯିବା ଦୃଶ୍ୟ ମଧ୍ୟ ମଞ୍ଚସ୍ଥ ହୋଇଥିଲା ।
ବିଜୁଳିକନ୍ୟାଙ୍କ ଦୈବୀବାଣୀ ପରେ ମୃତ୍ୟୁଭୟରେ ଛଟପଟ କଂସାସୁର ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ଆରମ୍ଭ କରିଛି । ଦେବର୍ଷି ନାରଦଙ୍କ ପରାମର୍ଶରେ ଷଡ଼ମଲ୍ଲଙ୍କ ଆବାହନ କରି ସାହଯ୍ୟ ନେଇଛି । ଭଉଣୀ ପୁତନା, ଶକଟା, ତୃଣାବର୍ତ୍ତ, ବକାସୁର, ଅଘାସୁର, ଧେନୁକାସୁର ଓ ଷଣ୍ଢାସୁରଙ୍କ ନିଧନ କରି କୃଷ୍ଣ- ବଳରାମ ଗୋପପୁରବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି । ଏପଟେ ଗୋପପୁରର କୃଷ୍ଣ-ବଳରାମ ନଗର ଭ୍ରମଣ କରିଛନ୍ତି । ଘରେ ଘରେ ଉଭୟଙ୍କୁ ଧୂପଦୀପ ସହ ନୈବେଦ୍ୟ ଚଢ଼ାଇ ପୂଜାର୍ଚ୍ଚନା କରାଯାଇଛି । ଅପରାହ୍ନରେ ନନ୍ଦରାଜା ଦରବାରରେ ଉପସ୍ଥିତ ରହି ପ୍ରଜାଙ୍କ ସମସ୍ୟା ବୁଝିଥିଲେ । ନନ୍ଦ ଦରବାରରେ ବଲାଙ୍ଗିର, ବରଗଡ଼, ବାରପାହାଡ଼, ପୁରୁଲିଆ ଛଉ, ଜଗତସିଂହପୁରରୁ ଆସୁଥିବା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।