ଭୁବନେଶ୍ୱର,୩୦/୦୧: ବିକୃତ ଶରୀର । ଚାରିଆଡେ ଘା’। ହାତ, ଗୋଡର ଅଙ୍ଗୁଳି ଛିଣ୍ଡିଯାଇଛି । କିଛି ସ୍ଥାନରେ ପଟି ବନ୍ଧାଯାଇଛି । ଏହାସତ୍ତେ୍ୱ ସେମାନେ ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ସକାଳ ହେଉ ଅବା ସଂଜ, ପର୍ବପର୍ବାଣୀଠୁ ନେଇ ବିବାହ, ବ୍ରତଘର । ମନ୍ଦିରରେ ଏମାନେ ଭିକ୍ଷା କରି ସଂସାର ଚଳାନ୍ତି । ଜଣେ କି ଦୁଇ ଜଣ ନୁହେଁ, ପ୍ରାୟ ୧୦୦ରୁ ଊଦ୍ଧ୍ୱର୍ କୁଷ୍ଠ ରୋଗୀଙ୍କ ଜୀବନ, ଜୀବିକା ଏମିତି ଚାଲିଛି । ତେବେ ଖୁସିର କଥା ଏମାନଙ୍କ ବ୍ୟତୀତ ଆଉ କେତେକ ରୋଗୀ ଅଛନ୍ତି ଯେଉଁମାନେ ସଂଘର୍ଷ ଜାରି ରଖି କୁଷ୍ଠକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । ସଂସାର ରଥକୁ ଆଗେଇ ନେଇଛନ୍ତି । ନିଜେ ଭିକ୍ଷା କରି ପିଲାଙ୍କୁ ବଡ଼ ମଣିଷ କରିପାରିଛନ୍ତି । ଆଜି ସେମାନେ ସାଧାରଣ ଜୀବନ ଜୀଉଁଛନ୍ତି ।

ଆଜି ହେଉଛି ବିଶ୍ୱ କୁଷ୍ଠ ଦିବସ । କୁଷ୍ଠ ରୋଗ ନିରାକରଣ ନେଇ ବିଶ୍ବବ୍ୟାପୀ ସଚେତନତା କରାଯାଉଛି । ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାରକୁ 'ବିଶ୍ବ କୁଷ୍ଠ ରୋଗ ଦିବସ' ଭାବେ ପାଳନ କରାଯାଇଆସୁଛି । କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ସାଜିଛି କୁଷ୍ଠ ରୋଗ । କୁଷ୍ଠ ରୋଗ ଏକ ସଂକ୍ରାମକ ରୋଗ ହୋଇଥିବାବେଳେ ଅନେକ ଲୋକ ଏହାକୁ ଘୃଣା କରିଥାନ୍ତି। ଫଳରେ ଏହି ରୋଗରେ ଶିକାର ହୋଇଥିବା ରୋଗୀଙ୍କୁ ସାମାଜିକ ବାସନ୍ଦ ହେବାକୁ ମଧ୍ୟ ପଡ଼ିଥାଏ । ବର୍ଷ ବର୍ଷ ଧରି ଅନେକ ସରକାରୀ ଓ ବେସରକାରୀ ସଂଗଠନ ତରଫରୁ ସଚେତନତା କରାଯାଇଆସୁଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ଏହି ଅବସରରେ ‘ପ୍ରମେୟ’ ପହଞ୍ଚିଥିଲା ଭୁବନେଶ୍ୱର ପଳାସପଲ୍ଲୀସ୍ଥିତ ଲିଙ୍ଗରାଜ କୁଷ୍ଠ କଲୋନୀରେ । 

୪୨ ବର୍ଷର ସଂଘର୍ଷ ପରେ ରୋଗରୁ ମୁକ୍ତି

 ତାଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ କୁଷ୍ଠ ହୋଇଥିଲା । ତେବେ ଦୀର୍ଘ ୪୨ ବର୍ଷ ରୋଗ ସହ ସଂଘର୍ଷ କରିବା ପରେ ସେ ରୋଗରୁ ମୁକ୍ତି ପାଇପାରିଛନ୍ତି । ଏହାପରେ ଘର ସଂସାର କରିଛନ୍ତି । ଏବେ ତାଙ୍କୁ ୮୭ ବର୍ଷ । ଇତିମଧ୍ୟରେ ପତ୍ନୀ ତାଙ୍କୁ ଏକା କରି ଆରପାରିକୁ ଛାଡ଼ି ଚାଲିଯାଇଛନ୍ତି ହେଲେ ସେ ଏବେ ବି ଜୀବନ ସଂଗ୍ରାମରେ ହାରି ଯାଇନାହାନ୍ତି । ସେ ହେଲେ ଲିଙ୍ଗରାଜ କୁଷ୍ଠ କଲୋନୀର ବାସିନ୍ଦା ଯଦୁ ମହାରଣା । ଯଦୁଙ୍କ ନିଜ ଘର ନୟାଗଡ଼ ଜିଲ୍ଲା ରାଜସୁନାଖଳାରେ । ୧୦ବର୍ଷର ହୋଇଥିବା ବେଳେ ତାଙ୍କୁ ରୋଗ ହୋଇଥିବା ଜଣାପଡିଥିଲା । ଏହାପରେ ତାଙ୍କୁ ବାସନ୍ଦ କରିଦିଆଯାଇଥିଲା । ଭାଇଭଉଣୀମାନେ ତାଙ୍କ ପାଖ ମାଡିନଥିଲେ । ଗାଁ ଗାଡିଆରେ ତାଙ୍କୁ ଗାଧୋଇବା ପାଇଁ ମନା କରାଯାଇଥିବାବେଳେ ସର୍ବସାଧାରଣ ସ୍ଥାନକୁ ଯିବା ପାଇଁ ବାରଣ କରାଯାଇଥିଲା । ତେଣୁ ସେ ଘର ଛାଡିଦେଇଥିଲେ । କିଛି ଟଙ୍କା ଧରି ସେ ପୁରୀ ପଳାଇଥିଲେ । ସେଠାରେ କିଛିଦିନ ରହିବା ପରେ ହରିଦ୍ୱାର, ଗୟା ଓ ଶେଷରେ କାଶୀ ଯାଇଥିଲେ । କାଶୀରେ ବୁଲି ବୁଲି ସେ ଅଘୋରୀ ବାବାଙ୍କୁ ଭେଟି ବିଭୂତି ଆଣିଥିଲେ । ସେହି ବିଭୂତି ଦେହରେ ଲଗାଇବା ପରେ ସେ ରୋଗରୁ ସାମାନ୍ୟ ମୁକ୍ତି ପାଇଥିଲେ । ତେବେ ନିୟମିତ ଔଷଧ ଖାଇବା ପରେ ରୋଗରୁ ସଂପୂର୍ଣ୍ଣ ମୁକ୍ତି ପାଇଥିଲେ । ସେତେବେଳକୁ ତାଙ୍କୁ ୫୨ ବର୍ଷ ବୟସ । ଏହାପରେ ସେ ଭୁବନେଶ୍ୱର ଚାଲିଆସି ଲିଙ୍ଗରାଜ କୁଷ୍ଠ କଲୋନୀରେ ରହୁଥିବା ଭିନ୍ନକ୍ଷମ ସୁବାସିନୀଙ୍କୁ ବିବାହ କରି ସଂସାର ଗଢିଲେ । ଯଦୁଙ୍କ ଦୁଇଟି ପୁଅ ଅଛନ୍ତି । ୧୫ ବର୍ଷ ପୂର୍ବେ ସ୍ତ୍ରୀଙ୍କ ଦେହାନ୍ତ ପରେ ଯଦୁ ଏବେ ସଂସାର ରଥରେ ଏକୁଟିଆ ସାରଥୀ । ଏବେ ବି ସେ ଔଷଧ ଖାଉଛନ୍ତି, ନିୟମିତ ଡାକ୍ତର ଦେଖାଉଛନ୍ତି । କର୍ମଠ ବି ଅଛନ୍ତି । ତେବେ କୁଷ୍ଠକୁ ହରାଇଥିବାରୁ ସେ ଖୁସି ।

ପତ୍ନୀଙ୍କ ଯୋଗୁ ଜୀବନ ବଦଳିଗଲା 
ଜାତିରେ ବ୍ରାହ୍ମଣ, ହେଲେ କୁଷ୍ଠ ପାଇଁ ସେ ପାଲଟିଗଲେ ଅଛୁଆଁ । ଏହା ସତ୍ତେ୍ୱ ତାଙ୍କ ହାତ ଧରିଥିଲେ ଜଣେ ସାଧାରଣ ମହିଳା ଯିଏ ତାଙ୍କ ଜୀବନ ବଦଳାଇଥିଲେ । ଏଭଳି ଜଣେ ମଣିଷ ହେଲେ କଟକ ଜିଲ୍ଲା ବାଙ୍କୀର ଭଗବାନ ପଣ୍ଡା(୭୬)  । ୟେ ବି ଲିଙ୍ଗରାଜ କୁଷ୍ଠ କଲୋନୀରେ ରହୁଛନ୍ତି । ବାଙ୍କୀର ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ପଢୁଥିବା ବେଳେ ଭଗବାନ କୁଷ୍ଠରେ ଆକ୍ରାନ୍ତ ହୋଇଥିଲେ । ଏଥିପାଇଁ ତାଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ସାଙ୍ଗସାଥୀ, ପରିବାର ଲୋକେ ତାଙ୍କ ସହ ମିଶିବାକୁ ମନା କରିଦେଇଥିଲେ । ଦୀର୍ଘ ୨୦ବର୍ଷ କାଳ ସେ ଘର କୋଣରେ ପଡି ରହି ମୃତ୍ୟୁକୁ ଅପେକ୍ଷା କରିଥିଲେ । ହେଲେ ଏହାପରେ ତାଙ୍କ ଜୀବନକୁ ଆସିଥିଲେ ନର୍ମଦା ଯାହାଙ୍କ ହାତ ଧରିଥିଲେ ଭଗବାନ । ଗୋଟିଏ ପୁଅ ହେବା ପରେ ସେ ପରିବାର ସହ ଚାଲିଆସିଥିଲେ ଭୁବନେଶ୍ୱର । ପରେ ତାଙ୍କର ଦୁଇ ଝିଅ ମଧ୍ୟ ହୋଇଥିଲେ । ନର୍ମଦା କୌଣସି ରୋଗ ଦ୍ୱାରା ଆକ୍ରାନ୍ତ ନୁହନ୍ତି । ହେଲେ ଭଗବାନଙ୍କ କୁଷ୍ଠ ରୋଗକୁ ଖାତିର ନ କରି ତାଙ୍କର ସେବା କରିଥିଲେ । ତାଙ୍କୁ ନିୟମିତ ଔଷଧ ଖୁଆଇଥିଲେ । ତାଙ୍କ ସେବା ଯତ୍ନ ଦ୍ୱାରା ଭଗବାନ ଆଜି କୁଷ୍ଠ ମୁକ୍ତ ବୋଲି କହିଛନ୍ତି । ନର୍ମଦା ବି ଭିକ୍ଷା କରନ୍ତି । ଦମ୍ପତି ଭିକ୍ଷା କରି ପୁଅ ଓ ଝିଅଙ୍କୁ ବିଏ ପଢାଇଛନ୍ତି । ନର୍ମଦାଙ୍କ ସେବା ଯୋଗୁ ଭଗବାନ ଆଜି ପର୍ଯ୍ୟନ୍ତ ବଞ୍ଚିଥିବା କହିଛନ୍ତି । 

ଗୋଡ଼ ହରାଇଲେ, ଆତ୍ମବିଶ୍ୱାସ ଜିତାଇଲା
 କୁଷ୍ଠ ଯୋଗୁ ଡାହାଣ ଗୋଡ ହରାଇଲେ । ହେଲେ ଆତ୍ମବିଶ୍ୱାସ ହରାଇନଥିଲେ । ସେହି ଆତ୍ମବିଶ୍ୱାସ ତାଙ୍କୁ ଆଗକୁ ନେଇଥିଲା । ଏଭଳି ଜଣେ କୁଷ୍ଠ ଯୋଦ୍ଧା ହେଲେ ମଞ୍ଜୁଲତା ସାହୁ(୫୧) । ଭୁଷଣ୍ଢପୁରର ମଞ୍ଜୁଲତାଙ୍କ ଜୀବନ କୌଣସି ସିନେମା କାହାଣୀଠୁ କମ୍‌ ନୁହେଁ । ଅନ୍ୟ ଝିଅଙ୍କ ପରି ସ୍କୁଲ ଯାଉଥିଲେ, ପାଠ ପଢ଼ୁଥିଲେ । ହେଲେ ୯ବର୍ଷର ହୋଇଥିବା ବେଲେ ଡାହାଣ ଗୋଡରେ ଏକ ଫୋଟକା ହୋଇଥିଲା ଯାହା ଧୀରେଧୀରେ ବଡ ହେବାରେ ଲାଗିଥିଲା । ଡାକ୍ତର ପରାମର୍ଶ ନେବା ସହ ଔଷଧ ଖାଇବା ପରେ ବି ତାହା ଭଲ ହୋଇନଥିଲା । ପରେ ଜଣାପଡିଲା ତାହା କୁଷ୍ଠ । ହେଲେ ସେତେବେଳକୁ ଆଉ ସମୟ ନଥିଲା । ଗୋଡ ପଚିବାରୁ ତାହା କଟାଯାଇଥିଲା । ଗୋଡିଏ ଗୋଡ଼ରେ ସେ ବଞ୍ଚିଥିଲେ । କେହି ତାଙ୍କୁ ବିବାହ କରିବେନି ବୋଲି ଗାଁରେ ସମସ୍ତେ କହିଥିଲେ । ଏହାପରେ ସେ ଭୁବନେଶ୍ୱର ଆସିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୭ବର୍ଷ ହୋଇଥିଲା । ଆଶା ନଥିଲା, ସଂସାର ଦେଖିବେ । ହେଲେ ଆଶା ପୂରଣ ହୋଇଥିଲା । ତାଙ୍କ ଜୀବନକୁ କୁଷ୍ଠ ରୋଗୀ ଗିରିଧାରୀ ସାହୁ ଆସିବା ପରେ ଦୁହେଁ ବିବାହ କରିଥିଲେ । ଗିରିଧାରୀ ରିକ୍ସା ଟାଣି ସଂସାର ଚଳାନ୍ତି । ସେମାନଙ୍କ ଗୋଟିଏ ପୁଅ, ଦୁଇ ଝିଅ ଅଛନ୍ତି । ଏବେ ଦୁହେଁ ରୋଗ ମୁକ୍ତ ଜୀବନ ବିତାଉଛନ୍ତି ।