ଭୁବନେଶ୍ୱର ୨୦/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌-୧ ର କ୍ୱାଲିଟି ବିଭାଗ ପକ୍ଷରୁ ଗତ ରବିବାର ଦିନ ବିଶ୍ୱ ରୋଗୀ ସୁରକ୍ଷା ଦିବସ ପାଳିତ ହୋଇଯାଇଛି। ରୋଗୀଙ୍କ ସୁରକ୍ଷା ନିମନ୍ତେ ଡାକ୍ତର, ନର୍ସ, ହସ୍ପିଟାଲର ଷ୍ଟାଫ ତଥା ରୋଗୀଙ୍କ ସମ୍ପର୍କୀୟଙ୍କର ଦାୟିତ୍ୱ ବା ଭୂମିକା କଣ ହେବା ଉଚିତ୍‌ ସେ ନେଇ ଚଳିତ ବର୍ଷର ପ୍ରସଙ୍ଗ କ୍ୱାଲିଟି, ସେଫ୍ଟି ଆଣ୍ଡ ଟ୍ରଷ୍ଟଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଅବସରରେ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ଏମ୍ସର ମେଡିକାଲ୍‌ ସୁପରିଟେଣ୍ଡେଂଟ ଡକ୍ଟର ଦିଲୀପ ପରିଡା ଓ ଭୁବନେଶ୍ୱର ସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ (ଏନ୍‌ଏଚ୍‌ଏମ୍‌) କ୍ୱାଲିଟି ବିଭାଗର ଡକ୍ଟର ଦୀନବନ୍ଧୁ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍‌ ହସ୍ପିଟାଲ୍‌-୧ର ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଅଧ୍ୟକ୍ଷତା କରିବା ସହ କହିଥିଲେ ଯେ ସମ୍‌ ହସ୍ପିଟାଲ୍‌ ହେଉଛି ଏକ ମଲ୍ଟି ଡିସିପ୍ଲିନାରୀ ହସ୍ପିଟାଲ୍‌ ଯେଉଁଠାରେ ହାଉସ କିପିଙ୍ଗ କର୍ମଚାରୀ, ଫାର୍ମାସିଷ୍ଟ ଏବଂ ଡାକ୍ତର ଏକତ୍ରିତ ହୋଇ ରୋଗୀର କଷ୍ଟ ଲାଘବ ନିମନ୍ତେ ଚେଷ୍ଟା କରନ୍ତି। କେବଳ ରୋଗୀ ଚିକିତ୍ସା ନୁହେଁ ବରଂ ତାଙ୍କର ସମସ୍ୟା ଓ ଅସୁବିଧାର ସମାଧାନ ଆବଶ୍ୟକ ବୋଲି ସେ କହିଥିଲେ । କ୍ୱାଲିଟି ବିଭାଗର ଉତମ କାର୍ଯ୍ୟ ଯୋଗୁଁ ହିଁ ରୋଗୀମାନେ ଉପକୃତ ହୋଇପାରିବେ ବୋଲି ବିଭାଗୀୟ ମୁଖ୍ୟ ଡକ୍ଟର ଅରୋଲିପି ଦାସ କହିଥିଲେ ।

ସେହିପରି ଚଳିତ ମାସ ୧୭ ତାରିଖରେ ଫୁଲନଖରା ସ୍ଥିତ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌-୨ରେ ଏହି ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନ୍‌ଜିତ ମହାନ୍ତି ଏବଂ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌-୨ର ଡିନ୍‌ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ଯୋଗ ଦେଇ ଚଳିତ ବର୍ଷର ପ୍ରସଙ୍ଗକୁ ନେଇ ଆଲୋଚନା କରିବା ସହିତ ନିଜର ମନ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ହସ୍ପିଟାଲ୍‌ର ଆଡିସ୍‌ନାଲ୍‌ ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର ତାପସି ପତି ଯୋଗ ଦେଇ କହିଥିଲେ ଯେ ରୋଗୀ ମୃତ୍ୟୁ ହାରକୁ ହ୍ରାସ କରିବାକୁ ହେଲେ ରୋଗୀଙ୍କ ସୁରକ୍ଷା ଓ ସେମାନଙ୍କ ଦାୟିତ୍ୱ ସଠିକ୍‌ ଭାବେ ନେବା ଆବଶ୍ୟକ । ଏହା ଦ୍ୱାରା ୮୦ ପ୍ରତିଶତ ମୃତ୍ୟୁକୁ ରୋକାଯାଇ ପାରିବ ବୋଲି ସେ କହିଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଯୋଗ ଦେଇ ଏହି ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର କ୍ୱାଲିଟି ବିଭାଗର ମୁଖ୍ୟ ଡକ୍ଟର ଅରୋଲିପି ଦାସ, ସମ୍‌ ହସ୍ପିଟାଲ- ୨ର ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ରାଜେଶ କୁମାର ସେଠୀ ରୋଗୀ ସୁରକ୍ଷା ଉପରେ ମତ ବ୍ୟକ୍ତ କରିଥିଲେ । ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  

କାର୍ଯ୍ୟକ୍ରମ ଶେଷରେ ଆଇସିଏନ୍‌ର ଇନ୍‌ଚାର୍ଜ ଶ୍ରୀମତି ସତରୂପା ପାଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ସମସ୍ତ ବିଭାଗୀୟ ମୁଖ୍ୟ, ଡାକ୍ତର, ନର୍ସ, ହସ୍ପିଟାଲ୍‌ ଷ୍ଟାଫ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।