ଭୁବନେଶ୍ୱର ୧୩/୦୨: ଆଜି ବିଶ୍ୱ ରେଡିଓ ଦିବସ।  ରେଡିଓ ଖୋଲିବା ମାତ୍ରେ ପ୍ରଥମେ ଶୁଭୁଥିଲା ବନ୍ଦେ ମାତରମ୍... । ସକାଳ ତାଜା ହୋଇଯାଉଥିଲା । କପେ ଚା, ଖବରକାଗଜ ଓ ହାତରେ ଥିଲା ଏକ ରେଡିଓ । ଦେଶବିଦେଶର ଟିକିନିଖି ଖବର ଶୁଣି ଯିଏ ଯେଉଁଆଡ଼େ ବାହାରି ଯାଉଥିଲେ । କେବଳ ସେତିକି ନୁହେଁ, ବିବିଧ ସଙ୍ଗୀତ, ଓଡ଼ିଶାର ପ୍ରାଚୀନ ଐତିହ୍ୟ, ସଂସ୍କୃତି, ଶିକ୍ଷା, କ୍ରୀଡ଼ା, ସ୍ୱାସ୍ଥ୍ୟସୂଚନା, ଭାଷା, ସାହିତ୍ୟ, କଳା, ସ୍ଥାପତ୍ୟ, ଧର୍ମ, ଜୀବନଧାରା, ଦର୍ଶନ, କୃଷି, ଅର୍ଥନୀତି, ଆଇନ, ଶିଳ୍ପବିକାଶ, ରାଜନୈତିକ ଓ ଐତିହାସିକ କାର୍ଯ୍ୟକ୍ରମ ଆଦି ରେଡିଓରେ ପ୍ରସାରିତ ହେଉଥିଲା । ବନ୍ଦନା, ଅନୁଚିନ୍ତା, କୃଷି ପ୍ରସଙ୍ଗ, ପାଣିପାଗ, ଆଞ୍ଚଳିକ ସମ୍ବାଦ, ଆଜିର ପ୍ରସଙ୍ଗ, ଜନଜୀବନ ସମ୍ବାଦ, ଜିଲ୍ଲା ହାଲଚାଲ, ସମାଚାର ଦର୍ପଣ, ବିଶେଷ ସମାଚାର, ପ୍ରଭାତ ପରିକ୍ରମା, ଲୋକଗୀତ, ଯଥା- ପାଲା, ଦାସକାଠିଆ, ଏକତାରା, ଖଞ୍ଜଣି ଭଜନ, ଚଇତିଘୋଡ଼ା ନୃତ୍ୟ, ଘୁମୁରା ଗୀତ, କେଳାକେଲୁଣୀ, ଧୁଡୁକୀ, କେନ୍ଦରା, ଯାତ୍ରାଗୀତ, ପାଟୁଆଗୀତ, ଗୋପାଳ ଓଗାଳ, ମୃଦଙ୍ଗ, ତେଲିଙ୍ଗି ବାଦ୍ୟ, ଯୋଡ଼ିନାଗରା, ଶଙ୍ଖବାଦ୍ୟ, ସଙ୍ଗୀତ ନାଟକ, ରୂପକ, ବେତାର ବିବରଣୀ, ଯୁବବାଣୀ, ଶିକ୍ଷା, ନାରୀମହଲ, ବିଜ୍ଞାନ ପ୍ରଭା, ଶିଶୁ ସଂସାର ଶୁଣିବାକୁ କାନ ସବୁବେଳେ ଖୋଲାଥାଏ । ଆହୁରି ଅପେକ୍ଷା ଥାଏ ରଥଯାତ୍ରା ଓ କ୍ରୀଡ଼ା ବିବରଣୀ ଶୁଣିବାକୁ । ବାତ୍ୟା ହେଉ ଅବା କୌଣସି ନେତାଙ୍କ ଭାଷଣ, ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଯାଆନ୍ତି ଲୋକେ । ଗାଁରେ ଥିବା ବୟସ୍କମାନେ ରେଡିଓ ପ୍ରେମରେ ପାଗଳ। ତେବେ ଆଜି ରେଡିଓ ଆମ ପାଇଁ ଇତିହାସ । ହେଲେ ମନରୁ ଲିଭିନି ରେଡିଓପ୍ରେମ ।

ଭଙ୍ଗା ରେଡିଓର ବନ୍ଧୁ ଦେଶବନ୍ଧୁ

ନାମ ଦେଶବନ୍ଧୁ ରଥ । ଘର କଟକ । ଆଉ କାମ ରେଡିଓ ମରାମତି କରିବା । ଏଥିପାଇଁ ତାଙ୍କୁ ଭଙ୍ଗା ରେଡିଓଙ୍କ ବନ୍ଧୁ କୁହାଯାଏ । ୬୦ ବର୍ଷ ଧରି ସେ ରେଡିଓ ସହ ସମୟ କାଟିସାରିଲେଣି । ରେଡ଼ିଓ ସଜାଡ଼ିବାକୁ କେହି ଆସନ୍ତୁ କି ନଆସନ୍ତୁ ସେ କିନ୍ତୁ ରେଡିଓ ସହ ସମୟ ବିତାଇବାକୁ କେବେ ଭୁଲନ୍ତିନି । ବର୍ତ୍ତମାନ ତାଙ୍କ ବୟସ ୭୮ ବର୍ଷ । ହେଲେ ରେଡିଓ ପ୍ରତି ଥିବା ତାଙ୍କର ମୋହ ଆଜିବି ସେମିତି ରହିଛି । ତାଙ୍କ ରେଡିଓ ସଜଡ଼ା ଦୋକାନର ନାମ ହେଉଛି ଭିନ୍‌ଟେଜ୍ ରେଡିଓ ସ୍ପେସାଲିଷ୍ଟ । ଅନେକ ଲୋକ ବହୁଦୂରରୁ ମଧ୍ୟ ତାଙ୍କ ନିକଟକୁ ରେଡିଓ ସଜାଡ଼ିବାକୁ ଆସନ୍ତି । ସେ ଖାଲି ରେଡିଓକୁ ସଜାଡ଼ନ୍ତିନି ବରଂ ଅନେକଗୁଡ଼ିଏ ରେଡିଓକୁ ସାଇତିକରି ମଧ୍ୟ ରଖିଛନ୍ତି । ରେଡିଓକୁ ଭଲପାଉଥିବା ଦେଶବନ୍ଧୁ କୁହନ୍ତି, ରେଡ଼ିଓ ସହିତ ମୁଁ ଅନେକ ସମୟ କାଟିଛି । ରେଡିଓ ମୋତେ ଭଲ ଲାଗେ । ଯେତେ ପର୍ଯ୍ୟନ୍ତ ମୁଁ ସୁସ୍ଥ ରହିବି, ସେ ପର୍ଯ୍ୟନ୍ତ ରେଡିଓକୁ ସୁସ୍ଥ କରିବାକୁ ଚେଷ୍ଟା କରିବ।

ରେଡିଓ ସଂଗ୍ରାହକ ରାଜେନ୍ଦ୍ର

ରେଡିଓକୁ ସେ ଭାରି ଭଲ ପାଆନ୍ତି । କେଉଁଠି ଯଦି ପୁରୁଣା ରେଡିଓ ମିଳେ, ତେବେ ତାକୁ ଘରକୁ ନେଇଆସନ୍ତି । ଏବେ ଘରେ ତାଙ୍କର ଏକ ରେଡିଓ ସଂଗ୍ରହାଳୟ ଅଛି । ଯେଉଁଠି ଗୋଟିଏ କି ଦୁଇଟି ନୁହେଁ, ୫୦୦ରୁ ଊଦ୍ଧ୍ୱର୍ ନୂଆ ଓ ପୁରୁଣା ରେଡିଓ ରହିଛି । ରେଡିଓ ପ୍ରେମରେ ପଡ଼ିଥିବା ଏଭଳି ଜଣେ ନିଆରା ବ୍ୟକ୍ତି ହେଲେ ରାଜେନ୍ଦ୍ର ସାହୁ(୪୮) । ରାଜେନ୍ଦ୍ରଙ୍କ ଘର ସ୍ଥାନୀୟ ସହିଦନଗର ଅଞ୍ଚଳରେ । ରାଜେନ୍ଦ୍ର ବୃତ୍ତିରେ ଜଣେ କାଠମିସ୍ତ୍ରୀ, ମାତ୍ର ରେଡିଓ ସଂଗ୍ରହ କରିବା ତାଙ୍କର ନିଶା । ପିଲାଟି ବେଳୁ ରାଜେନ୍ଦ୍ର ରେଡିଓ ପ୍ରେମରେ ପଡ଼ିଛନ୍ତି । ରାଜେନ୍ଦ୍ରଙ୍କ ଘର ପାଖରେ ଏକ ରେଡିଓ ମରାମତି ଦୋକାନ ଥିଲା । ସେଠାକୁ ସେ ଅନେକ ସମୟ ଯାଇ ମରାମତି ହେଉଥିବା ରେଡିଓ ଦେଖନ୍ତି । କିନ୍ତୁ ସମୟକ୍ରମେ ରେଡିଓ ଦୋକାନ ବନ୍ଦ ହୋଇଯିବ, ସେହି କାରଣରୁ ପାଖାପାଖି ୧୦୦ଟି ରେଡିଓ ୫୦୦ ଟଙ୍କା ଦେଇ କିଣିଥିଲେ । ବାସ୍ ସେଇଠୁ ଆରମ୍ଭ ହୋଇଥିଲା ରେଡିଓ ସଂଗ୍ରହ ଅଭିଯାନ । ରେଡିଓ ସଂଗ୍ରହ କରିବାରେ ତାଙ୍କ ପତ୍ନୀ ମମତା ସାହୁ ମଧ୍ୟ ତାଙ୍କୁ ସାହାଯ୍ୟ କରନ୍ତି । ଦୀର୍ଘ ୨୬ ବର୍ଷରୁ ଊଦ୍ଧ୍ୱର୍ ସମୟ ହେବ ରାଜେନ୍ଦ୍ର ରେଡିଓ ସଂଗ୍ରହ କରୁଛନ୍ତି । ଯେମିତିକି ଫିଲିପ୍ସ, ପାନାସୋନିକ୍, ମର୍ଫି, ଫିଲ୍‌କୋ, ସୋନି, ସାନ୍‌ସୁଇ, ସାର୍ପ ଭଳି ବ୍ରାଣ୍ଡର ରେଡିଓ ସେ ସଂଗ୍ରହ କରିଛନ୍ତି । ଏନେଇ ରାଜେନ୍ଦ୍ର କହନ୍ତି, ଯେଉଁ ସ୍ଥାନକୁ ମୁଁ ଯାଏ ସେଠାରେ ଥିବା ମାର୍କେଟ ବୁଲେ ଓ ରେଡ଼ିଓ ଆଣେ । ଏବେ ତାଙ୍କ ପାଖରେ ଯେଉଁସବୁ ରେଡିଓ ଅଛି, ତାହା ଆଉ ମିଳୁନି । ଆଗକୁ ଇଚ୍ଛା ଅଛି ରେଡ଼ିଓ ସଂଗ୍ରହାଳୟ ଓ ସ୍ରୋତା ମହଲ ତିଆରି କରିବି ।