ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ଦୌଡ : ଭାରତ ପାଇଁ କଷ୍ଟକର ଲର୍ଡ୍ସ ଯାତ୍ରା

ମୁମ୍ବାଇ, ୦୬/୧୧ : ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ସଂସ୍କରଣ ଏବେ ଅନ୍ତିମ ପର୍ଯ୍ୟାୟରେ । ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ ଫାଇନାଲ । ଚଳିତ ସଂସ୍କରଣରେ ଆଉ ମାତ୍ର ୧୮ଟି ଟେଷ୍ଟ ବାକି ରହିଛି । ତଥାପି ଏପର୍ଯ୍ୟନ୍ତ କୌଣସି ଦଳ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି । ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ ଓ ଭାରତ ଭଳି ଶକ୍ତିଶାଳୀ ଦଳ ମଧ୍ୟ ଫାଇନାଲ୍‌ ଦୌଡରୁ ବାଦ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଏଥର ଦମ୍‌ଦାର ପ୍ରଦର୍ଶନ ଜାରି ରଖି ଫାଇନାଲ ଦାବିଦାର ରୂପେ ଉଭା ହୋଇଛନ୍ତି । 

ପ୍ରକୃତରେ ଦେଖିବାକୁ ଗଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ(୦- ୩ରେ) ଟେଷ୍ଟ ସିରିଜ ପରାଜିତ ହେବା ପରେ ଫାଇନାଲ୍‌ ଦୌଡ଼ ବେଶ୍‌ ରୋମାଞ୍ଚକର ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ପରାଜିତ ହେବା ଫଳରେ ଭାରତ ପଏଣ୍ଟ ତାଲିକାର ଦ୍ୱିତୀୟକୁ ଖସିଛି । ଭାରତ ନିକଟରେ ସମ୍ପ୍ରତି ୫୮.୩୩% ପଏଣ୍ଟ ରହିଛି । ୬୨.୫୦% ପଏଣ୍ଟ ସହ ଅଷ୍ଟ୍ରେଲିଆ ଶୀର୍ଷକୁ ଉନ୍ନୀତ ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପରାଜୟ ଭାରତକୁ ଚକ୍ରବ୍ୟୁହରେ ପହଞ୍ଚାଇ ଦେଇଛି । ବର୍ତ୍ତମାନ ଏକମାତ୍ର ଆଶା ବର୍ଡର-ଗାଭାସ୍କର ଟ୍ରଫି । ଏହି ସିରିଜରେ ୫ଟି ଟେଷ୍ଟ ରହିଛି । ଭାରତକୁ ସିଧାସଳଖ ଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ଉକ୍ତ ସିରିଜକୁ ୪-୦ରେ ଜିତିବାକୁ ପଡ଼ିବ । ଅଷ୍ଟ୍ରେଲିଆ ଦଳକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇବାର କ୍ଷମତା ଭାରତ ନିକଟରେ ରହିଛି । ହେଲେ ଏକ ସଙ୍ଗେ ୪ଟି ଟେଷ୍ଟ ଜିତିବା ଅସମ୍ଭବ କାର୍ଯ୍ୟ କହିଲେ ଭୁଲ ହେବ ନାହିଁ ।  

ଚିନ୍ତା ବଢ଼ାଇବ ଦକ୍ଷିଣ ଆଫ୍ରିକା 

୪-୦ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଲେ ଭାରତର ପଏଣ୍ଟ ୬୫.୭୯%କୁ ବୃଦ୍ଧି ପାଇବ । ତଥାପି ଭାରତ ଶୀର୍ଷ ସ୍ଥାନ ଫେରି ପାଇବା କଷ୍ଟକର ହେବ । କାରଣ ଦକ୍ଷିଣ ଆଫ୍ରିକା ଆଗକୁ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ଯଥାକ୍ରମେ ୨ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି । ଉଭୟ ସିରିଜରେ କ୍ଲିନ୍‌ ସୁଇପ କଲେ ଦକ୍ଷିଣ ଆଫ୍ରିକାର ପଏଣ୍ଟ ୬୯.୪୪%କୁ ବୃଦ୍ଧି ପାଇବ । ଦଳ ସିଧା ଶୀର୍ଷକୁ ଉଠି ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବ । ଭାରତ ଦ୍ୱିତୀୟ ଦଳ ଭାବେ ଫାଇନାଲ୍‌ରେ ପହଞ୍ଚିବ । ଗତ ମାସରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ(୨-୦) ଟେଷ୍ଟ ସିରିଜ ବିଜୟ ପରେ ଦକ୍ଷିଣ ଆଫ୍ରିକାର ପଏଣ୍ଟ ୫୪.୧୭%ରେ ପହଞ୍ଚି ଯାଇଛି । ୫୪.୫୫% ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ ଆଗକୁ ଇଂଲଣ୍ଡ ବିପକ୍ଷରେ ୩ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି । ଘରୋଇ ଗ୍ରାଉଣ୍ଡ୍‌ରେ ଖେଳାଯିବାକୁ ଥିବା ଏହି ସିରିଜକୁ ୩-୦ରେ ଜିତିଲେ ନ୍ୟୁଜିଲାଣ୍ଡର ପଏଣ୍ଟ ୬୪.୨୯%ରେ ପହଞ୍ଚିବ ।  

ଅନ୍ୟ ଦଳ ଉପରେ ନିର୍ଭର 

ଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ଭାରତକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡ଼ିପାରେ । ଭାରତ ୨-୩ରେ ବର୍ଡର-ଗାଭାସ୍କର ଟ୍ରଫି ପରାଜିତ ହେଲେ ମଧ୍ୟ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିପାରିବ । ମାତ୍ର ଅନ୍ୟ ସିରିଜର ଫଳାଫଳ ଉପରେ ନିର୍ଭର କରିବାକୁ ହେବ ।

-ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ସିରିଜ ୧-୧ରେ ଡ୍ର’ ରହିବ ।

-ଦକ୍ଷିଣ ଆଫ୍ରିକା ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ଘରୋଇ ଟେଷ୍ଟ ସିରିଜକୁ ୧-୧ରେ ଡ୍ର’ ରଖିବ ।

-ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୨ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ୦-୦ରେ ଡ୍ର’ ରହିବ । ଏହା ସମ୍ଭବ ହେଲେ ଭାରତ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିପାରିବ । ଉପରୋକ୍ତ ସମସ୍ତ ସିରିଜର ଫଳାଫଳ ଏଭଳି ରହିଲେ ଅଷ୍ଟ୍ରେଲିଆ ୫୮.୭୭% ପଏଣ୍ଟ ସହ ଶୀର୍ଷ ସ୍ଥାନ ଦଖଲ କରିବ ଓ ଭାରତ ୫୩.୫୧% ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଦଖଲ କରିବ । ଦକ୍ଷିଣ ଆଫ୍ରିକା ୫୨.୭୮%, ନ୍ୟୁଜିଲାଣ୍ଡ ୫୨.୩୮% ଓ ଶ୍ରୀଲଙ୍କା ୫୧.୨୮% ପଏଣ୍ଟରେ ପହଞ୍ଚିବ । ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ୫୪.୧୭% ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଥିଲେ ହେଁ ଫାଇନାଲ୍‌ ଖେଳିବା ପାଇଁ ପ୍ରବଳ ଦାବିଦାର ରୂପେ ଉଭା ହୋଇଛି । ଦକ୍ଷିଣ ଆଫ୍ରିକାର ଶେଷ ୨ଟି ଯାକ ଟେଷ୍ଟ ସିରିଜ ଘରୋଇ ଗ୍ରାଉଣ୍ଡ୍‌ରେ ରହିଛି । ପ୍ରତିପକ୍ଷ ଦଳ ଭାବେ ରହିଛନ୍ତି ୨ଏସୀୟ ଦଳ ପାକିସ୍ତାନ ଓ ଶ୍ରୀଲଙ୍କା । ୪ଟି ଯାକ ଟେଷ୍ଟ ଜିତିଲେ ଦକ୍ଷିଣ ଆଫ୍ରିକାର ପଏଣ୍ଟ ୬୯.୪୪%କୁ ବୃଦ୍ଧି ପାଇବ । ଶେଷ ୪ଟି ଟେଷ୍ଟରୁ ଦକ୍ଷିଣ ଆଫ୍ରିକା ୩ବିଜୟ ଓ ଗୋଟିଏ ମ୍ୟାଚ୍‌ ଡ୍ର’ ରଖିଲେ ପଏଣ୍ଟ ୬୩.୮୯%କୁ ଖସିବ । ସେହିପରି ୩ବିଜୟ ଓ ଗୋଟିଏ ପରାଜୟ ହେଲେ ପଏଣ୍ଟ ୬୧.୧୧% ରେ ପହଞ୍ଚି ଯିବ । ତଥାପି ଦକ୍ଷିଣ ଆଫ୍ରିକାର ଫାଇନାଲ୍‌ ସମ୍ଭାବନା ବଳବତ୍ତର ରହିବ । 

ଦ୍ୱିତୀୟ ଫାଇନାଲ୍‌ ଅପେକ୍ଷାରେ ଅଷ୍ଟ୍ରେଲିଆ

ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ପୁନର୍ବାର ଫାଇନାଲ୍‌ରେ ପହଞ୍ଚିବା ପାଇଁ ଅପେକ୍ଷା କରି ରହିଛି । ଭାରତର ସିରିଜ(ନ୍ୟୁଜିଲାଣ୍ଡ ବିପକ୍ଷରେ) ପରାଜୟ ଅଷ୍ଟ୍ରେଲିଆର ଫାଇନାଲ୍‌ ଯାତ୍ରାକୁ ସହଜ କରିଦେଇଛି । ତଥାପି ସିଧା ସଳଖ ଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ଅଷ୍ଟ୍ରେଲିଆକୁ ଶେଷ ୭ଟିରୁ ୫ଟି ଟେଷ୍ଟ ଜିତିବାକୁ ହେବ ।  

ପ୍ରମୁଖ ଦାବିଦାର ଶ୍ରୀଲଙ୍କା

୫୫.୫୬% ପଏଣ୍ଟ ହାସଲ କରିଥିବା ଶ୍ରୀଲଙ୍କା ଆଗକୁ ଆଉ ୪ଟି ଟେଷ୍ଟ(ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷରେ) ଖେଳିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ମ୍ୟାଚ୍‌ ଜିତିଲେ ଶ୍ରୀଲଙ୍କାର ପଏଣ୍ଟ ୬୯.୨୩%ରେ ପହଞ୍ଚିବ । କିନ୍ତୁ ଗୋଟିଏ ଟେଷ୍ଟ ପରାଜିତ ହେଲେ ୬୧.୫୪%କୁ ପଏଣ୍ଟ ଖସିଯିବ । ତଥାପି ଦଳର ଫାଇନାଲ ସମ୍ଭାବନା ରହିବ । ଅବଶ୍ୟ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.