ପାଟନା ୦୬/୦୧: ତାମିଲନାଡୁର ମହାବଳୀପୁରମ୍‌ରୁ ବିହାରର ପୂର୍ବ ଚମ୍ପାରଣ ଅଭିମୁଖେ ଆସୁଥିବା ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ(୩୩ ଫୁଟ ଲମ୍ବା) ଏବେ ରାଜ୍ୟର ଗୋପାଳଗଞ୍ଜ ଜିଲ୍ଲାର ଏକ ଚେକ୍‌ ପୋଷ୍ଟରେ ଅଟକିଛି । ଶିବଲିଙ୍ଗ ସହ ତାକୁ ଆଣୁଥିବା ଗାଡ଼ିର ଭାର ସହିବାକୁ ଗଣ୍ଡକ ନଦୀରେ ନିର୍ମିତ ପୋଲ ସକ୍ଷମ ହେବ କି ନାହିଁ ସେଥିନେଇ ଯାଞ୍ଚ ଚାଲିଛି । ଇତିମଧ୍ୟରେ ଶିବଲିଙ୍ଗ ନିକଟରେ ସ୍ଥାନୀୟ ଲୋକେ ଭଜନ କୀର୍ତ୍ତନ ଆରମ୍ଭ କରିଦେଇଛନ୍ତି ।

ଗ୍ରାନାଇଟ୍‌ରୁ ପ୍ରସ୍ତୁତ ଏହି ଶିବଲିଙ୍ଗର ଓଜନ ପ୍ରାୟ ୨୧୦ ମେଟ୍ରିକ୍ ଟନ୍ । ତାକୁ ପୂର୍ବ ଚମ୍ପାରଣର ନିର୍ମାଣାଧୀନ ବିରାଟ ରାମାୟଣ ମନ୍ଦିରରେ ସ୍ଥାପନ କରାଯିବାର ଅଛି । ସେହି ଉଦ୍ଦେଶ୍ୟରେ ଗତବର୍ଷ ନଭେମ୍ବର ମାସରେ ତାମିଲନାଡୁର ମହାବଳୀପୁରମ୍‌ରୁ ଏହାର ଯାତ୍ରା ଆରମ୍ଭ ହୋଇଥିଲା । ୫ଟି ରାଜ୍ୟ ଦେଇ ଯାତ୍ରା କରିବା ସମୟରେ ରାସ୍ତାରେ ବିଭିନ୍ନ ସ୍ଥାନରେ ଲୋକେ ଏହାକୁ ପୂଜାର୍ଚ୍ଚନା କରିଥିଲେ । ଶେଷରେ ଶିବଲିଙ୍ଗ ଚଳିତମାସ ଆରମ୍ଭରେ ଉତ୍ତର ବିହାରର ଗୋପାଳଗଞ୍ଜରେ ପହଞ୍ଚିଥିଲା । ତେବେ ସେହିଠାରୁ ୧୫୦-୨୦୦ କିମି ଦୂରରେ ଥିବା ଗନ୍ତବ୍ୟସ୍ଥଳ ପୂର୍ବ ଚମ୍ପାରଣ ପହଞ୍ଚିବା ଦିଗରେ ଏବେ ବଡ଼ ବାଧକ ସୃଷ୍ଟି ହୋଇଛି । ଏଥିଲାଗି ଶିବଲିଙ୍ଗ ସହ ତାକୁ ନେଇ ଆସୁଥିବା ବିଶାଳ ଟ୍ରକ୍‌କୁ ଜାତୀୟ ରାଜପଥ-୨୭ରେ ନାରାୟଣୀ(ଗଣ୍ଡକ) ନଦୀରେ ଥିବା ଜର୍ଜର ଡୁମାରିଆଘାଟ ପୋଲ ଦେଇ ଅତିକ୍ରମ କରିବାକୁ ହେବ । ଇଞ୍ଜିନିୟରମାନେ ସେହି ପୋଲର ସଂରଚନାଗତ ମଜଭୁତିକୁ ନେଇ ପ୍ରଶ୍ନ ଉଠାଇବାପରେ ଗୋପାଳଗଞ୍ଜ ଜିଲ୍ଲାପାଳ ପୱନ କୁମାର ସିହ୍ନା ଏବଂ ଏସ୍‌ପି ଅବଧେଶ ଦୀକ୍ଷିତ ପୋଲର ଯାଞ୍ଚ କରିଥିଲେ । ସେଥିରୁ ପୋଲର ବିଭିନ୍ନ ସ୍ଥାନରେ ଫାଟ ଥିବା ଜଣାପଛି । ଏହାପରେ ଶିବଲିଙ୍ଗ ସହିତ ଟ୍ରକ୍‌ର ଓଜନକୁ ସହ୍ୟ କରିବାରେ ପୋଲ ସକ୍ଷମ ହେବ କି ନାହିଁ ସେଥିନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ତେଣୁ ବିହାର ରାଜ୍ୟ ପୋଲ ନିର୍ମାଣ ନିଗମ ଲିମିଟେଡ୍, ଜାତୀୟ ରାଜପଥ ପ୍ରାଧିକରଣ ଏବଂ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର ଟିମ୍‌କୁ ପୋଲର ଭାର ବହନ କ୍ଷମତାର ବିସ୍ତୃତ ଅଧ୍ୟୟନ ଲାଗି ଡକାଯାଇଛି । ଚର୍ଚ୍ଚା ଜାରି ରହିଥିଲେ ସୁଦ୍ଧା ସୁରକ୍ଷା ସୁନିଶ୍ଚିତ ନ ହେବା ଯାଏ କୌଣସି ପ୍ରକାର ଗତିବିଧିକୁ ଅନୁମତି ଦିଆଯିବ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି । ଶିବଲିଙ୍ଗ ଗୋପାଳଗଞ୍ଜ ଜିଲ୍ଲାର ବାଲାଥାରି ଚେକ୍ ପୋଷ୍ଟ ନିକଟରେ ଅଟକିଛି । ସେଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୁଲିସ ଶିବଲିଙ୍ଗ ନିକଟରେ ସୁରକ୍ଷା ବ୍ୟବସ୍ଥା କରିଛି ।