ନୂଆଦିଲ୍ଲୀ,୧୪/୧୨: ବ୍ଲୁମ୍‌ବର୍ଗ ପକ୍ଷରୁ ବିଶ୍ୱର ସବୁଠାରୁ ଧନୀ  ପରିବାରଗୁଡ଼ିକର ଏକ ତାଲିକା ପ୍ରକାଶ  ପାଇଛି । ଏଥିରେ ଶୀର୍ଷ ସ୍ଥାନରେ ରହିଛି  ୱାଲ୍‌ମାର୍ଟ ୱାଲ୍‌ଟନ୍‌ ପରିବାର । ମୋଟ୍‌  ୪୩୨୪୦ କୋଟି ଡଲାରର ସମ୍ପତ୍ତି ସହିତ  ଏହି ପରିବାର ୨୦୨୪ରେ ପୁନଃ ପ୍ରଥମ ସ୍ଥାନ ଅଳଙ୍କୃତ କରିଛି । ବିଶ୍ୱର ସବୁଠାରୁ ଧନୀ  ବ୍ୟକ୍ତି ଏଲନ୍‌ ମସ୍କଙ୍କ ବ୍ୟକ୍ତିଗତ ସମ୍ପତ୍ତିଠାରୁ  ୱାଲ୍‌ଟନ୍‌ ପରିବାରର ସମ୍ପତ୍ତି ଅଧିକ ରହିଛି । ଭାରତରୁ ଅମ୍ବାନି ପରିବାର ଏ  ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି । ଅମ୍ବାନି  ପରିବାରର ମୋଟ ସମ୍ପତ୍ତି ହେଉଛି ୯୯୬୦  କୋଟି ଡଲାର। ସେହିଭଳି ସାପୁର୍‌ଜୀ  ପାଲୋଞ୍ଜିଙ୍କ ମିସ୍ତ୍ରୀ ପରିବାର ୪୧୪୦  କୋଟି ଡଲାରର ସମ୍ପତ୍ତି ସହ ତାଲିକାରେ  ୨୩ ତମ ସ୍ଥାନରେ ରହିଥିବା ଜଣାପଡ଼ିଛି ।  

ରିପୋର୍ଟ ଅନୁସାରେ, ୱାଲ୍‌ମାର୍ଟ  ସେୟାର୍‌ର ଉତ୍ତମ ପ୍ରଦର୍ଶନ ଯୋଗୁ ବିଶ୍ୱ  ଧନୀ ପରିବାର ତାଲିକା-୨୦୨୪ରେ ଶୀର୍ଷ  ସ୍ଥାନକୁ ଫେରିଛି ୱାଲ୍‌ଟନ ପରିବାର ।  ଚଳିତବର୍ଷ ଡିସେମ୍ବର ୧୦ ସୁଦ୍ଧା ୱାଲ୍‌ମାର୍ଟ  ସେୟାର୍‌ ୮୦% ବୃଦ୍ଧି ପାଇଛି । ଏହି  ଅଭିବୃଦ୍ଧି ଯୋଗୁ ୱାଲ୍‌ଟନ୍‌ ପରିବାରର  ମିଳିତ ସମ୍ପତ୍ତି ୧୭୨୭୦ କୋଟି ଡଲାର  ବଢ଼ିଛି । ଉକ୍ତ ହିସାବରେ ଦିନକୁ  ହାରାହାରି ୪୭.୩୨ କୋଟି ଡଲାର ଏବଂ  ମିନିଟ୍‌କୁ ୩୨୮,୫୭୭ ଡଲାର ଯୋଡ଼ିଛି  ଏହି ପରିବାର । ରାଜସ୍ୱ ହିସାବରେ  ୱାଲ୍‌ମାର୍ଟ ବିଶ୍ୱର ସର୍ବବୃହତ୍‌ ରିଟେଲର ।  

ରିପୋର୍ଟ ମୁତାବକ ବିଶ୍ୱବ୍ୟାପୀ  ଅରବପତିମାନେ ଏ ବର୍ଷ ମିଳିତ ଭାବେ  ୪୦୬୫୦ କୋଟି ଡଲାରର ସମ୍ପତ୍ତି  ଯୋଡ଼ିଛନ୍ତି । ୩୨୩୯୦ କୋଟି ଡଲାର  ସମ୍ପତ୍ତି ସହିତ ସଂଯୁକ୍ତ ଆରବ ଏମିରେଟ୍‌ସ  (ୟୁଏଇ)ର ଅଲ୍‌ ନେହୟାନ ପରିବାର  ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ସେହିଭଳି କତାର୍‌ର ଅଲ୍‌ ଥାନି  ପରିବାର ୧୭୨୯୦ କୋଟି ଡଲାରର ସମ୍ପତ୍ତି  ସହିତ ତାଲିକାରେ ତୃତୀୟ ସ୍ଥାନରେ  ରହିଛନ୍ତି । ଫ୍ରାନ୍ସର ହର୍‌ମେସ୍‌ ପରିବାର  ୧୭୦୬୦ କୋଟି ଡଲାର ସମ୍ପତ୍ତି ସହ  ତାଲିକାରେ ଚତୁର୍ଥ ସ୍ଥାନରେ ଥିବାବେଳେ  ଆମେରିକାର କୋଚ୍‌ ପରିବାର ୧୪୮୫୦  କୋଟି ଡଲାର ନେଟ୍‌ ସମ୍ପତ୍ତି ସହ ପଞ୍ଚମ  ସ୍ଥାନରେ ରହିଛନ୍ତି । ଚଳିତବର୍ଷ ଶ୍ରେଷ୍ଠ  ୧୦ରେ ସ୍ଥାନିତ ହୋଇଛି ମୁକେଶ ଅମ୍ବାନିଙ୍କ ନେତୃତ୍ୱାଧୀନ ଭାରତର ଅମ୍ବାନି ପରିବାର।