ନୂଆଦିଲ୍ଲୀ,୦୬/୧୦:  ବିକ୍ରି ହେବ ବିଶ୍ୱର କ୍ଷୁଦ୍ରତମ ରୁବିକ୍ସ କ୍ୟୁବ୍‌ । ଜାପାନର ଖେଳଣା ନିର୍ମାଣକାରୀ କମ୍ପାନି ମେଗାହାଉସ୍‌ କର୍ପୋରେସନ୍‌ ଏହି ମିନିଏଚର ରୁବିକ୍ସ କ୍ୟୁବ୍‌ ପ୍ରସ୍ତୁତ କରିଛି। ତେବେ ଏହି ଛୋଟ ଯେ ଏହାର ସମାଧାନ ଲାଗି ହାତ ବଦଳରେ ଟ୍ୱିଜର ଆବଶ୍ୟକ । କ୍ୟୁବ୍‌ର ପ୍ରତ୍ୟେକ ପାଶ୍ୱର୍ ଆଲୁମିନିୟମ୍‌ରେ ପ୍ରସ୍ତୁତ । ଏହାର ଚଉଡ଼ା ୪.୯୦ ମିଲିମିଟର, ଲମ୍ବା ୪.୯୨ ମିଲିମିଟର । ଓଜନ ମାତ୍ର ୦.୩୩ ଗ୍ରାମ୍‌ । ଗତ ଗୁରୁବାର କମ୍ପାନିର ୱେବ୍‌ସାଇଟ୍‌ରେ ଏହା ପ୍ରି-ଅର୍ଡର ପାଇଁ ଉପଲବ୍ଧ ଥିଲା, ଯାହା ଆସନ୍ତା ବର୍ଷ ଏପ୍ରିଲରେ ଡେଲିଭରୀ ହୋଇପାରେ । 

ତେବେ ସାଧାରଣ କ୍ୟୁବ୍‌ ତୁଳନାରେ ଏହାର ମୂଲ୍ୟ ଯଥେଷ୍ଟ ଅଧିକ । କମ୍ପାନି ଏହାର ମୂଲ୍ୟ ରଖିଛି ୫,୩୨୦ ଡଲାର । ଗୋଟିଏ ଷ୍ଟାଣ୍ଡ୍‌ ସହିତ କ୍ୟୁବ୍‌ଟି ଆସିବ, ଯେଉଁଥିରେ ଉଲ୍ଲେଖ ହୋଇଛି ‘ବିଶ୍ୱର କ୍ଷୁଦ୍ରତମ ରୁବିକ୍ସ କ୍ୟୁବ୍‌’ । ଗତ ଅଗଷ୍ଟ ମାସରେ ଗିନିଜ୍‌ ବିଶ୍ୱ ରେକର୍ଡରେ ଏହି ମାଇକ୍ରୋ ରୁବିକ୍ସ କ୍ୟୁବ୍‌ ସ୍ଥାନ ପାଇଥିଲା । ଏଇଟି ଏକ ଆଙ୍ଗୁଳି ନଖଠୁ ମଧ୍ୟ ଛୋଟ । ସାଧାରଣ ରୁବିକ୍ସ କ୍ୟୁବ୍‌ ଆକାରର ପ୍ରାୟ ୧୦୦୦ତମ ଅଂଶ । ୪ ବର୍ଷ ତଳେ କମ୍ପାନି ଏହି କ୍ୟୁବ୍‌ର ଅବଧାରଣାକୁ ସାମ୍ନାକୁ ଆଣିଥିଲା । ୨୦୨୨ରେ ଏହାର ନିର୍ମାଣ ପ୍ରକ୍ରିୟା ଆରମ୍ଭ କଲା ।