ମୁମ୍ବାଇ,୧୦/୦୧: ଚଳିତ ମହିଳା ପ୍ରିମିୟର ଲିଗ୍‌ରେ ଶନିବାର ୨ଟି ମ୍ୟାଚ୍ ରହିଛି । ଅପରାହ୍ଣରେ ଗୁଜରାଟ ଜାଏଣ୍ଟ୍‌ସ  ଓ ୟୁପି ୱାରିୟର୍ସ ପରସ୍ପରକୁ ଭେଟିବେ । ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଉଭୟ ଦଳ ପ୍ରସ୍ତୁତ ରହିଛନ୍ତି । ନୂଆ ସିଜନରେ ନୂଆ ଏକାଦଶ ସହ ଉଭୟ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବେ । ବିଜୟ ସହ ଏକ ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବା ପାଇଁ ଉଭୟ ଦଳ ଗୁରୁତ୍ୱ ଦେବେ ।

ୟୁପି ୱାରିୟର୍ସ ଓ ଗୁଜରାଟ ଜାଏଣ୍ଟ୍‌ସ ଏପର୍ଯ୍ୟନ୍ତ ଫାଇନାଲ୍‌ରେ ପହଞ୍ଚି ପାରି ନାହାନ୍ତି । ଏଥର ଉଭୟ ଦଳ ଫାଇନାଲ ହର୍ଡଲ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗତ ମେଗା ନିଲାମରେ ଉଭୟ ଦଳ ସର୍ବାଧିକ ଖେଳାଳି କିଣିଛନ୍ତି । ନିଲାମ ପୂର୍ବରୁ ଗୁଜରାଟ ଜାଏଣ୍ଟ୍‌ସ ୨ଜଣ ଓ ୟୁପି ୱାରିୟର୍ସ ଜଣେ ଖେଳାଳିଙ୍କୁ ରିଟେନ କରିଥିଲେ ।

ୟୁପି ଦଳ ସନ୍ତୁଳିତ ମନେ ହେଉଛି । ମେଗ ଲ୍ୟାନିଂ ଦଳର ନେତୃତ୍ୱ ନେଉଛନ୍ତି । ଓପନର ଭାବେ କିରଣ ନଭଗିରେ ପୂର୍ବ ତ୍ରୁଟି ସୁଧାରି ସାରିଛନ୍ତି । ସେ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି । ସେହିପରି ହର୍ଲିନ ଦେଓଲ ଓ ଶ୍ୱେତା ସେରାୱତ ମଧ୍ୟ କ୍ରମ ସମ୍ଭାଳିବେ । ଷ୍ଟାର ଅଲ୍ରାଉଣ୍ଡର ଦୀପ୍ତି ଶର୍ମାଙ୍କ ଉପସ୍ଥିତି ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗକୁ ଶକ୍ତିଶାଳୀ କରିଛି । ଗୁଜରାଟ ଦଳରେ ବେଥ ମୁନି, ଶୋଫି ଡିଭାଇନ, ଜର୍ଜିୟା ୱାରେହାମଙ୍କ ଭଳି ଷ୍ଟାର ବ୍ୟାଟର ରହିଛନ୍ତି । ଅଧିନାୟିକା ଆସଲି ଗାର୍ଡନର ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି।

ୱାଇ ପାଟିଲ ଷ୍ଟାଡ଼ିୟମ୍‌ର ପିଚ୍ ବ୍ୟାଟିଂ ପାଇଁ ବେଶ ଅନୁକୂଳ । ପ୍ରାରମ୍ଭରୁ ପେସ୍ ବୋଲରମାନେ ନୂଆ ବଲ୍‌ରେ ପିଚ୍‌ର ଫାଇଦା ଉଠାଇ ପାରିବେ। ଅପରାହ୍ଣରେ ମ୍ୟାଚ୍ ଖେଳାଯାଉଥିବାରୁ ଟସର ଭୂମିକା ସେଭଳି ଗୁରୁତ୍ୱପୂର୍ଣ୍ଣ ନୁହେଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ଗୁଜରାଟ ଜାଏଣ୍ଟ୍‌ସ : ବେଥ ମୁନି, ଶୋଫି ଡିଭାଇନ, ଶ୍ୱେତା ସେରାୱତ, ଆସଲି ଗାର୍ଡନର (ଅଧିନାୟିକା), ଜର୍ଜିୟା ୱାରେହାମ, କନିକା ଆହୁଜା, ଆୟୂଷି ସୋନି, କାଶଭୀ ଗୌତମ, ତନୁଜା କୱଁର, ଟିଟାସ ସାଧୁ, ରେଣୁକା ସିଂହ ।

ୟୁପି ୱାରିୟର୍ସ: ମେଗ ଲ୍ୟାନିଂ (ଅଧିନାୟିକା), କିରଣ ନଭଗିରେ, ହର୍ଲିନ ଦେଓଲ, ଫୋଏବ ଲିଚଫିଲ୍ଡ, ଦୀପ୍ତି ଶର୍ମା, ଡିଆଣ୍ଡ୍ରା ଡଟିନ, ସିପ୍ରା ଗିରି, ଶୋଫି ଏକ୍ଲେଷ୍ଟୋନ, ଆଶା ଶୋଭନା, ଶିଖା ପାଣ୍ଡେ, କ୍ରାନ୍ତି ଗୌଡ଼ ।