ନୂଆଦିଲ୍ଲୀ,୧୧/୦୧: ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଖାତା ଖୋଲିଛି । ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ମ୍ୟାଚରେ ୫୦ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନ ସଂଗ୍ରହ କରିଥିଲା । କ୍ୟାପ୍ଟେନ୍ ହର୍ମନପ୍ରୀତ କୌର ଅଧିନାୟକତ୍ୱ ପାଳି ଖେଳିଥିଲେ । ୪୨ ବଲରେ ୭୪ରନ୍ କରି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୧୪୫ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍ ଭଳି ମଧ୍ୟ ପ୍ରାରମ୍ଭରୁ ଓପନର ଆମେଲିଆ କେର (୦)ଙ୍କ ୱିକେଟ୍ ହରାଇଥିଲା । ଅନ୍ୟ ଓପନର ଜି କାମାଳିନୀ (୧୬) ମଧ୍ୟ ନିରାଶ କରିଥିଲେ । ମାତ୍ର ଏହାପରେ ନାତାଲି ସ୍କିଭରବ୍ରଣ୍ଟ ଓ ହର୍ମନପ୍ରୀତ କୌର ଧୂଆଁଧାର ବ୍ୟାଟିଂ କରି ସବୁ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ । ଉଭୟ ଅର୍ଦ୍ଧଶତକ ଅର୍ଜନ କରିବା ସହ ତୃତୀୟ ୱିକେଟ୍ରେ ୬୬ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୧୧୭ ବେଳେ ସ୍କିଭର-ବ୍ରଣ୍ଟ ବ୍ୟକ୍ତିଗତ ୭୦ ରନ କରି ଆଉଟ୍ ହୋଇଥିଲେ । ସେ ଏହି ଇନିଂସରେ ୪୬ଟି ବଲ୍ର ସାମ୍ନା କରି ୧୩ଟି ଚୌକା ମାରିଥିଲେ । ହର୍ମନପ୍ରୀତ ଶେଷ ବଲ୍ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ୧୯୫ରେ ପହଞ୍ଚାଇଥିଲେ । ସେ ୪୨ଟି ବଲ୍ରୁ ୮ଚୌକା ଓ ୩ଛକା ବଳରେ ୭୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିକୋଲା କ୍ୟାରୀ ୧୨ଟି ବଲ୍ରୁ ୨୧ରନ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ନନ୍ଦନୀ ଶର୍ମା ୨ଟି ୱିକେଟ୍ ନେଇଥିଲେ ।
A captain's knock! 💙
— Women's Premier League (WPL) (@wplt20) January 10, 2026
Mumbai Indians skipper Harmanpreet Kaur is the Player of the Match for her top-notch innings of 7⃣4⃣*(42) 🫡
Scorecard ▶️ https://t.co/aVKBHVKp7c #TATAWPL | #KhelEmotionKa | #MIvDC pic.twitter.com/kerAc3TV1w
୧୯୬ର ବିଶାଳ ବିଜୟ ଲକ୍ଷ୍ୟର ବୋଝରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପ୍ରାରମ୍ଭରୁ ମନୋବଳ ହରାଇ ବସିଥିଲା । ଓପନର ଲିଜେଲି ଲି’ ୧୦ ରନ କରି ପ୍ରଥମେ ଆଉଟ୍ ହେବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଶେଫାଳି ବର୍ମା ୮, ଲୌରା ଉଲଭାର୍ଟ ୯, ଜେମିମା ରୋଡ୍ରିଗ୍ସ ୧, ମରିଜାନ କାପ ୧୦ ଓ ନିକି ପ୍ରସାଦ ୧୨ ରନ କରି ଆଉଟ୍ ହେବା ସହ ଦିଲ୍ଲୀ କ୍ୟାପିଟାଲ୍ସ ୧୨ ଓଭର ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୮୮ ରନ ସଂଗ୍ରହ କରିଥିଲା । ଶେଷ ୮ ଓଭରରେ ଦଳକୁ ବିଜୟ ପାଇଁ ୧୦୮ ରନ ଆବଶ୍ୟକ ହେଉଥିଲା । ଚିନେଲି ହେନରୀ ଗୋଟିଏ ପଟେ ଆକ୍ରମଣ ଜାରି ରଖି ବିଜୟ ପାଇଁ ଲଢ଼େଇ କରୁଥିଲେ । ହେଲେ ଅନ୍ୟ ପଟରେ ତାଙ୍କୁ ଉପଯୁକ୍ତ ସହାୟତା ମିଳି ନଥିଲା । ସେ ୩୩ଟି ବଲ୍ରୁ ୫ଚୌକା ଓ ୩ ଛକା ବଳରେ ୫୫ ରନ କରି ଆଉଟ୍ ହେବା ପରେ କ୍ୟାପିଟାଲ୍ସ ଦଳର ବିଜୟ ଆଶା ମଉଳି ଯାଇଥିଲା । ଦଳ ଶେଷରେ ୧୪୫ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନିକୋଲା କ୍ୟାରୀ ଓ ଆମେଲିଆ କେର ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ସ୍କିଭର-ବ୍ରଣ୍ଟ ୨ଟି ୱିକେଟ୍ ନେଇଥିଲେ ।