ମୁମ୍ବାଇ,୧୫/୦୧: ଚଳିତ ମହିଳା ପ୍ରିମିୟର ଲିଗ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ସ ପରସ୍ପରକୁ ଭେଟିବେ । ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ଲକ୍ଷ୍ୟ ରଖିଛି । ୟୁପି ୱାରିୟର୍ସ ପ୍ରଥମ ପଏଣ୍ଟ ସନ୍ଧାନରେ ରହିଛି । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ପରାଜିତ ହୋଇଥିଲା । ମାତ୍ର ଏହାପରେ ଲଢୁଆ ପ୍ରତ୍ୟାବର୍ତ୍ତନ କରି କ୍ରମାନ୍ୱୟରେ ୨ଟି ମ୍ୟାଚ ଜିତିଥିଲା । ଉଭୟ ମ୍ୟାଚ୍ରେ ହର୍ମନପ୍ରୀତ କୌର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ୟୁପି ୱାରିୟର୍ସ ନିକଟରେ ଯଥେଷ୍ଟ ଦକ୍ଷତା ରହିଛି । ମାତ୍ର କେବଳ ଫୋଏବ ଲିଚଫିଲ୍ଡଙ୍କୁ ଛାଡ଼ି ଦେଲେ ଅନ୍ୟ ପ୍ରମୁଖ ଖେଳାଳିମାନେ ଏପର୍ଯ୍ୟନ୍ତ ଫର୍ମକୁ ଫେରି ନାହାନ୍ତି । ୨ଟି ମ୍ୟାଚ୍ରେ ଫେଲ ମାରିବା ପରେ ମେଗ ଲ୍ୟାନିଂ ଅର୍ଦ୍ଧ ଶତକ ଅର୍ଜନ କରି ନିଜ ମନୋବଳ ବଢାଇଛନ୍ତି । ମାତ୍ର ଦୀପ୍ତି ଶର୍ମା, ଚୋଲେ ଟ୍ରିୟନ, ଶୋଫି ଏକ୍ଲେଷ୍ଟୋନ, କ୍ରାନ୍ତି ଗୌଡ଼ ନିରାଶ କରିଛନ୍ତି । ଏମାନେ ଦକ୍ଷତା ମୁତାବକ ପ୍ରଦର୍ଶନ କଲେ ୟୁପି ୱାରିୟର୍ସ ଯେ କୌଣସି ଦଳକୁ ହରାଇ ପାରିବ ।
ସମ୍ଭାବ୍ୟ ଦଳ
ମୁମ୍ବାଇ ଇଣ୍ଡିଆନ୍ସ: ଜି କାମାଳିନୀ, ହେଲି ମାଥ୍ୟୁସ, ଆମେଲିଆ କେର, ହର୍ମନପ୍ରୀତ କୌର(ଅଧିନାୟିକା), ମନଜୋତ କୌର, ନିକୋଲା କ୍ୟାରୀ, ଏସ ସଜନା, ପୁନମ ଖେମନାର, ସଂସ୍କୃତି ଗୁପ୍ତା, ସବନିମ ଇସମାଇଲ, ତ୍ରିବେଣୀ ବଶିଷ୍ଠା ।
ୟୁପି ୱାରିୟର୍ସ: ମେଗ ଲ୍ୟାନିଂ(ଅଧିନାୟିକା), କିରଣ ନଭଗିରେ, ହର୍ଲିନ ଦେଓଲ, ଫୋଏବ ଲିଚଫିଲ୍ଡ, ଦୀପ୍ତି ଶର୍ମା, ଡିଆଣ୍ଡ୍ରା ଡଟିନ, ସିପ୍ରା ଗିରି, ଶୋଫି ଏକ୍ଲେଷ୍ଟୋନ, ଆଶା ଶୋଭନା, ଶିଖା ପାଣ୍ଡେ, କ୍ରାନ୍ତି ଗୌଡ଼ ।