ନୂଆଦିଲ୍ଲୀ,୨୮/୦୩; ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧ ଥମିବ କଣ ବଢି ବଢି ଚାଲିଛି । ୩ ଦେଶ ମଧ୍ୟରେ ଲଢେଇକୁ ଆଜି ମାସେ ପୁରିଛି । ୟେମେନର ହୁତିମାନେ ଏବେ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି । ସିଏନଏନ ରିପୋର୍ଟ ଅନୁଯାୟୀ, ହୁତିମାନେ ୟେମେନରୁ ଇସ୍ରାଏଲ ଉପରେ ଏକ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି । ଇସ୍ରାଏଲୀ ସେନା ଏକ ବିବୃତ୍ତିରେ ଏହା ନିଶ୍ଚିତ କରିଛି । ଇସ୍ରାଏଲୀ ସେନା କହିଛି ଯେ, ସେମାନେ ୟେମେନରୁ ନିକ୍ଷେପ କରାଯାଇଥିବା ଏକ କ୍ଷେପଣାସ୍ତ୍ର ଚିହ୍ନଟ କରିଛନ୍ତି । ଇରାନ ସମର୍ଥିତ ହୁତି ଗୋଷ୍ଠୀ ସଂଘର୍ଷରେ ଯୋଗଦେବା ପାଇଁ ଧମକ ମଧ୍ୟରେ ଏହି ଆକ୍ରମଣ ହୋଇଛି । ଯୁଦ୍ଧରେ ହୁତିଙ୍କ ଏଣ୍ଟ୍ରୀ ପରେ ବାବ୍ ଏଲ୍-ମାଣ୍ଡେବ ଜଳପଥ ବନ୍ଦ ହେବାର ଆଶଙ୍କା କରାଯାଉଛି ।

ହୁତି ମୁଖପାତ୍ର ବ୍ରିଗେଡିୟର-ଜେନେରାଲ ୟାହ୍ୟା ସାରୀ କହିଛନ୍ତି, ଲକ୍ଷ୍ୟ ପୂରଣ ନହେବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ।ବିଦ୍ରୋହୀମାନେ ଦକ୍ଷିଣ ଇସ୍ରାଏଲରେ "ସମ୍ବେଦନଶୀଳ ସାମରିକ ପ୍ରତିଷ୍ଠାନ"କୁ ଟାର୍ଗେଟ କରି ଅନେକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରୁ ଶନିବାର ପର୍ଯ୍ୟନ୍ତ, ଇରାନ ଏବଂ ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଥିବାରୁ, ଇସ୍ରାଏଲର ମୁଖ୍ୟ ପରମାଣୁ ଗବେଷଣା କେନ୍ଦ୍ର ଆଖପାଖ ଅଞ୍ଚଳରେ ତୃତୀୟ ଥର ପାଇଁ ସାଇରନ୍ ବାଜିଛି । ହୁତି ବିଦ୍ରୋହୀମାନେ ୨୦୧୪ ମସିହାରୁ ୟେମେନର ରାଜଧାନୀ ସାନାକୁ ନିଜ କବଜାରେ ରଖିଛନ୍ତି ଏବଂ ଆମେରିକା-ଇସ୍ରାଏଲ ଯୁଦ୍ଧରୁ ଦୂରରେ ରହିଛନ୍ତି । ଲେବାନନ୍ ଏବଂ ଇରାକରେ ଇରାନର ସିଆ ସହଯୋଗୀମାନେ ପୂର୍ବରୁ ଏହି ଆଞ୍ଚଳିକ ସଂଘର୍ଷରେ ଯୋଗ ଦେଇଛନ୍ତି । ଏବେ, ହୁତିଙ୍କ ଯୋଗଦାନ ସହିତ ବାବ୍ ଏଲ୍-ମାଣ୍ଡେବ ଜଳପଥ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି । ବାବ୍ ଏଲ୍-ମାଣ୍ଡେବ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ । ଏହା ୟେମେନ୍ ଏବଂ ଆଫ୍ରିକାର ଜିବୁତି ମଧ୍ୟରେ ଅବସ୍ଥିତ । ଏହା ଲୋହିତ ସାଗରକୁ ଆଡେନ୍ ଉପସାଗର ଏବଂ ଭାରତ ମହାସାଗର ସହିତ ସଂଯୋଗ କରେ । 

ଏହା ବି ପଢନ୍ତୁ...ଟ୍ରମ୍ପଙ୍କ ବଡ଼ ଆଖି; ଇରାନ-ଭେନେଜୁଏଲା ପରେ ଟାର୍ଗେଟରେ ଏହି ଦେଶ,କହିଲେ ମୁକୁଳାଇବି ନଚେତ୍ କବଜା  

ଇସ୍ରାଏଲୀ ସେନା କ’ଣ କହିଲା? ଇସ୍ରାଏଲୀ ସେନା ବିବୃତ୍ତିରେ କୁହାଯାଇଛି ଯେ, ଇସ୍ରାଏଲୀ ସେନା ୟେମେନରୁ ଇସ୍ରାଏଲୀ ଅଞ୍ଚଳ ଆଡ଼କୁ ନିକ୍ଷେପ କରାଯାଇଥିବା ଏକ କ୍ଷେପଣାସ୍ତ୍ର ଚିହ୍ନଟ କରିଛି ଏବଂ ବିପଦକୁ ପ୍ରତିହତ କରିବା ପାଇଁ ଏୟାରଷ୍ଟ୍ରାଇକ୍ ପ୍ରଣାଳୀକୁ ସକ୍ରିୟ କରାଯାଇଛି । ଯୁଦ୍ଧ ସମୟରେ ୟେମେନରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ସମ୍ପର୍କରେ ଏହା ପ୍ରଥମ ସରକାରୀ ବିବୃତ୍ତି ଥିଲା । ଏହା ଶନିବାର ସକାଳେ ଜାରି କରାଯାଇଥିଲା ।