ମାଲକାନଗିରି, ୧୪/୧୦(ଆପ୍ର ) :ପେଟକୁ ଦାନା ଯୋଗାଡ଼ ପାଇଁ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲା ଯୁବକ । ଟଙ୍କା ତ ରୋଜଗାର ହୋଇ ପାରିଲା ନାହିଁ, ଯେଉଁ ହାତରେ ଭାତ ଯୋଗାଡ଼ କରୁଥିଲା, ସେ ହାତ ଦୁଇଟି ହରାଇ ଘରକୁ ଫେରିଛନ୍ତି ଆଦିବାସୀ ଯୁବକ। ତାଙ୍କର ଚିକିତ୍ସା ପାଇଁ ଅଧିକ ଟଙ୍କାର ଆବଶ୍ୟକ ରହିଛି ହେଲେ ଅର୍ଥ ସାଜିଛି ତାଙ୍କର ଚିକିତ୍ସା ରେ ବାଧକ। ଏପରି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇର ପୁଟ ବ୍ଲକସ୍ଥ ମୁଣ୍ଡିଗୁଡା ଗ୍ରାମ ରେ।
ମୁଣ୍ଡିଗୁଡା ଗ୍ରାମର ଆଦିବାସୀ ଯୁବକ ଯୁଧିଷ୍ଠିର ଖିଲ, ସେ ୧୦ମ ପାସ କରିଛନ୍ତି। ଘରକୁ ସେ ଏକ ମାତ୍ର ପୁଅ ହୋଇଥିବାରୁ ଓ ପରିବାର ଅତ୍ୟନ୍ତ ଗରିବ ଥିବାରୁ ସେ ଆଉ ଅଧିକ ପାଠ ପଡି ନପାରି ପରିବାର ଚଲାଇବା ପାଇଁ ଗତ କିଛି ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ କୁ ଯାଇଥିଲେ। ଗତ କିଛିଦିନ ତଳେ କାମ କରୁଥିବା ସମୟରେ ଅସାବଧାନତା ଯୋଗୁଁ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ବିଦ୍ୟୁତ ଆଘାତ ପାଇ ଥିଲେ। ଗୁରୁତର ଅବସ୍ଥାରେ ହାଇଦ୍ରାବାଦରେ ଚିକିତ୍ସିତ ହୋଇ ସେ ବଞ୍ଚିଗଲେ ହେଲେ ତାଙ୍କର ହାତ ଦୁଇଟି କଟା ଯାଇଅଛି | ଟିକିଏ ସୁସ୍ଥ ହେବା ପରେ ସେ ମାଲକାନଗିରି ତାଙ୍କ ଘରକୁ ଫେରି ଆସିଲେ। ଘରେ କଟା ହାତତେ ସଂକ୍ରମଣ ହୋଇ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କଲେ। ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଡାକ୍ତର ଉଚ୍ଚତର ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଛନ୍ତି। ଏବେ ତାଙ୍କର ଉଚ୍ଚତର ଚିକିତ୍ସା ଓ କୃତିମ ହାତ ଲଗାଇବା ପାଇଁ ଲକ୍ଷା ଧିକ ଟଙ୍କାର ଆବଶ୍ୟକ ରହିଛି। ପରଘରେ ଖଟି ପେଟକୁ ଦୁଇମୁଠା ଭାତ ଯୋଗାଡ଼ କରୁଥିବା ଲୋକ କେଉଁଠୁ ଟଙ୍କା ଆଣିବେ ସେ ଚିନ୍ତାରେ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି।