ଲହୁଣୀପଡ଼ା,୩୧/୧୦: ଜୀବନ ବଞ୍ଚାଇବାକୁ ଯାଇ ଯୁବକ ମୃତ, ବାନ୍ଧବୀ ଗୁରୁତର । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ବାନ୍ଧବୀ ପୋଡ଼ିହୋଇ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଶୀଶାଡିହିରୁ ଆସିଛି ଏଭଳି ଅଘଟଣର ଖବର । ମୃତକ ହେଲେ ପ୍ରେମରାଜ୍ ମୁଣ୍ଡା (୨୩ ବର୍ଷ)।
ସୂଚନା ମୁତାବକ, ପ୍ରେମରାଜ ମୁଣ୍ଡା ନିଜ ବଡ଼ବାପା ସୁଦର୍ଶନ ମୁଣ୍ଡାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ଆସିଥିଲା । ଏହା ପରେ ସେ ଫେରାର୍ ଥିଲେ । ମାତ୍ର ଗୁରୁବାର ପ୍ରେମରାଜ ଆତ୍ମସମର୍ପଣ କରିବାକୁ ନିଜ ବାନ୍ଧବୀଙ୍କୁ ନେଇ ଶିଶାଡ଼ିହି ଗାଁକୁ ଆସିଥିଲେ । ଏହା ଜାଣି ମୃତ ସୁଦର୍ଶନ ମୁଣ୍ଡାଙ୍କ ପତ୍ନୀ ଏବଂ ପୁଅମାନେ ମାରଣାସ୍ତ୍ର ଧରି ମାରିବାକୁ ଗୋଡ଼ାଇଥିଲେ । ପ୍ରେମରାଜ ଜୀବନ ବିକଳରେ ଧାଇଁ ଥିଲେ । କିନ୍ତୁ ସାଲେଇଡ଼ିହି ଠାରେ ବନ୍ୟଜନ୍ତୁ କବଳରୁ ଫସଲ ରକ୍ଷା ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ବିଦ୍ୟୁତ୍ ଆଘାତରେ ପ୍ରେମରାଜ ଏବଂ ତାଙ୍କ ବାନ୍ଧବୀ ପୋଡି ହୋଇଯାଇଥିଲେ । ଉଭୟଙ୍କୁ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ପ୍ରେମରାଜଙ୍କୁ ମୃତ ଘୋଷଣା କରିଥିଲେ । ବାନ୍ଧବୀଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।