ଭୁବନେଶ୍ୱର, ୦୫/୦୪: କଳସ ଶୋଭାଯାତ୍ରା ଦେଖି ଆସୁଥିବା ବେଳେ ଅଘଟଣ । ବାସୁଦେବପୁରରେ ରାମନବମୀ ପାଇଁ ଅନୁଷ୍ଠିତ କଳସ ଶୋଭାଯାତ୍ରା ଦେଖି ଆସୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ବରଣ୍ଡୁଆ ନାରଣପୁର ଗ୍ରାମର ମୀନକେତନ ଦଳେଇଙ୍କ ପୁଅ ପଦ୍ମଲୋଚନ ଓ ଗୁରୁତର ଯୁବକ ହେଲେ ସେହି ଗ୍ରାମର ଶ୍ରୀକାନ୍ତ ମହାନ୍ତିଙ୍କ ପୁଅ ସତ୍ୟଜିତ । ଭଦ୍ରକ ଜିଲ୍ଲା ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଦୁଇ ଜଣ ଯୁବକ କଳସ ଶୋଭାଯାତ୍ରା ଦେଖି ବାଇକ୍‌ରେ ଆସୁଥିଲେ । ଏହି ସମୟରେ ଗୁଆଗାଁ ଛକର ଅଳ୍ପ ଦୂରରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ ପିଟି ହୋଇତିଲା ବାଇକ୍ । ଯାହାଫଳରେ ଗାଡ଼ିରୁ ଦୁଇ ଜଣ ଛିଟ୍‌କି ତଳେ ପଡିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ପଦ୍ମଲୋଚନଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ବାସୁଦେବପୁରରେ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଥାନାକୁ ଆଣିଛି । ଏହାସହ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ପୋଲିସ ।