କଟକ, ୧୬/୧୦: ଟ୍ରକ୍ ସାଇଡ୍ ମାରିବାରୁ କଟକ ମହାନଦୀ ଓଭରବ୍ରିଜ୍‌ ଉପରୁ ନଦୀ ବାଲିକୁ ଖସିପଡ଼ିଲେ ଯୁବକ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ । ଯୁବକ ଜଣକ ହେଲେ ଛତିଆ ଅଞ୍ଚଳର ସତିଶ ରାଉତ ।

ସୂଚନା ମୁତାବକ, ଗୁରୁବାର ଭୋର ୪ଟାରେ ଯୁବକ ଜଣଙ୍କ ଦୁଇ ଚକିଆ ଗାଡ଼ିରେ ନିଜ ଘର ଛତିଆ ଅଭିମୁଖେ ଯାଉଥିଲେ । ଏତିକି ବେଳେ ଏକ ଟ୍ରକ୍ ସାଇଡ୍‌ ମାରିବାରୁ ସେ ନଦୀ ଭିତରକୁ ଖସି ପଡ଼ିଥିଲେ । ଏସମ୍ପର୍କରେ ଖବର ପାଇ ସଙ୍ଗେସଙ୍ଗେ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।