ନୂଆଦିଲ୍ଲୀ: ଦୁନିଆର ଅଧିକାଂଶ ଲୋକ ମାନଙ୍କର ସ୍ୱପ୍ନ ଥାଏ ଏକ ନୂଆ ସ୍ପୋର୍ଟି ତଥା ବିଳାସପୁର୍ଣ୍ଣ କାର କିଣିବା। କିନ୍ତୁ ବେଙ୍ଗାଲୁରୁର ଏକ ମହିଳାଙ୍କ କାର କିଣିବାର ସ୍ୱପ୍ନ କିଛି ନିଆରା ଥିଲା। ଏହି ମହିଳାଙ୍କର ଭିଣ୍ଟେଜ ତଥା ଖାସ କରି ପଦ୍ମିନୀ କାର ଚଲାଇବାର ସ୍ୱପ୍ନ ଥିଲା। ଏହି ମହିଳା ଜଣଙ୍କ ନିଜ ସ୍ୱପ୍ନ ପୁରା କରିବାକୁ ୨୦୨୪ ମସିହାରେ ଏକ ପ୍ରିମିୟର ପଦ୍ମିନୀ କିଣି ନିଜ ଜନ୍ମଦିନରେ ନିଜକୁ ଉପହାର ଦେଇଛନ୍ତି। 

ମହିଳା ଜଣଙ୍କର ନାଁ ହେଉଛି ରଚନା। ନିକଟରେ ସେ ନିଜ ପଦ୍ମୀନି କାରର ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ବେଙ୍ଗାଲୁରୁ ସଡକରେ ସେ ନିଜ ପସନ୍ଦର କାରକୁ ଚଲାଉଥିବା ନେଇ ନଜରରେ ଆସିଛନ୍ତି। ଏହି ଭିଡିଓରେ ସେ ତାଙ୍କ ଭିଣ୍ଟେଜ କାରକୁ ବ୍ୟବହାର ଉପଯୋଗୀ ବନାଇବା ପାଇଁ କୋତୋ କଷ୍ଟ କରିଛନ୍ତି ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। “ଏହା ମୋର ସ୍ୱପ୍ନର କାର। ଏହି କାର ନବାର ମୋର ପିଲାବେଳର ସ୍ୱପ୍ନ ଥିଲା” ବୋଲି ସୋ ଏହି ଭିଡିଓରେ କହିଛନ୍ତି।

ରଚନା କବାଡି ବାଲା ନିକଟରୁ ଏହି କାରକୁ କିଣିଥିଲେ। ଭିଡିଓରେ କାରର ସ୍ଥିତି ଅତ୍ୟନ୍ତ ଖରାପ ଥିବା ଦେଖା ଯାଉଛି। କାରର ଚାରିଆଡେ ଜଙ୍କ ଲାଗିଯାଇଥିଲା। ଗାଡିର ସ୍ଥିତି ଏତେ ଖରାପ ଥିଲା ଯେ ଗାଡି ଆଦୌ ଚଲାଇବା ପରିସ୍ଥିତିରେ ନଥିଲା। ତେବେ ରଚନା ଏହି କାରକୁ କିଣିବା ପରେ ଏକ ଅଟୋମୋବାଇଲ ୱାର୍କସପରେ ଏହାକୁ ରିଷ୍ଟୋର କରି ରାସ୍ତାରେ ଚଲାଇବା ଉପଯୋଗି କରିଥିଲେ।

ରଚନା ଭିଡିଓରେ କହିଛନ୍ତି- 'କିଛି ମାସ ପୂର୍ବେ କାରଟି ୱାର୍କସପରେ ଏହିପରି ଦେଖାଯାଉଥିଲା ଏବଂ ଏହା ଠିକ୍ ହେବା ପାଇଁ ଅନେକ ସମୟ ମଧ୍ୟ ନେଇଛି। ମୋ ଗ୍ୟାରେଜରେ ଥିବା ଲୋକମାନେ ଏହି କାରକୁ ଏକ ସୁନ୍ଦର ପଦ୍ମିନୀ କାରରେ ପରିଣତ କରିଛନ୍ତି।   ମୁଁ ପାଉଡର ନୀଳ ରଙ୍ଗ ପସନ୍ଦ କରେ ତ ମୋ ପଦ୍ମିନୀକୁ ମୁଁ ସେଇ ରଙ୍ଗରେ ସଜେଇଛି।‘ ରଚନା ପୋଷ୍ଟ କରିଥିବା ଫଟୋରେ ତାଙ୍କ ନୀଳ କାର ନିକଟରେ ଛିଡା ହୋଇଛନ୍ତି। ଏହି ଭିଡିଓକୁ ସେ ଡିସେମ୍ବର ୩୧ ତାରିଖରେ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓଟି ବର୍ତ୍ତମାନ ପର୍ଯ୍ୟନ୍ତ ୧.୩ ଲକ୍ଷ ଲାଇକ୍ ଏବଂ ୧ ମିଲିୟନରୁ ଅଧିକ ଭ୍ୟୁ ପାଇ ସାରିଛି। ଏହି ଭିଡିଓକୁ ଦେଖି ୟୁଜର୍ସ ମାନଙ୍କର ପଦ୍ମିନୀକାରକୁ ନେଇ ଥିବା ସ୍ମୃତି ସତେଜ ହୋଇଯାଇଛି।