ଫିରିଙ୍ଗିଆ, ୨୨/୨ : ଚୋରି ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୁଲିସ I ଅଭିଯୁକ୍ତ ଜଣଙ୍କ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନରେ ଥିବା ନୁଆଁପଦର ପଞ୍ଚାୟତ ବିଲୁପଦର ଗାଁର ଅନାଦି ଦିଗାଲଙ୍କ ପୁଅ ସୁମନ୍ତ ବୋଲି ଜଣାପଡ଼ିଛି I

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ବିଲୁପଦର ଗାଁର ଉଲପି ବେହେରା ନାମକ ଜଣେ ମହିଳାଙ୍କ ଘର ଲୋକେ ଘରେ ତାଲା ପକାଇ ମେଡ଼ିକାଲ କାମରେ ଫୁଲବାଣୀ ମେଡ଼ିକାଲକୁ ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ତାଙ୍କ ଘରର ତାଲା ଭାଙ୍ଗି ଘରେ ଥିବା ଏକ ସିଲିଂ ଫ୍ୟାନ, ଏକ ପାଣି ପମ୍ପ ଓ ଘର ଭିତରେ ଥିବା ଏକ ପେଡ଼ିରେ ରଖାହୋଇଥିବା ନଗଦ ୪ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଥିଲା I

ରବିବାର ସକାଳୁ ପରିବାର ଲୋକେ ଘରକୁ ଆସି ଚୋରି ହୋଇଥିବା ଦେଖିବା ପରେ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ I ଅଭିଯୋଗ ଅଧାରରେ ଫିରିଙ୍ଗିଆ ଥାନାରେ ଏକ ଚୋରି ମାମଲା ରୁଜୁ କରିବା ସହ ଥାନା ଅଧିକାରୀ ମୁରଲିଧର ସାହୁଙ୍କ ନିର୍ଦେଶକ୍ରମେ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ସବୁ ଚୋରି ହେବାର ୮ଘଣ୍ଟା ନପୁରୁଣୁ ଚୋରକୁ ଧରିବାରେ ସଫଳ ହୋଇଥିଲା I

ଏହାସହ ଅଭିଯୁକ୍ତ ପାଖରୁ ପୁଲିସ ସମସ୍ତ ଚୋରି ସାମଗ୍ରୀ ମଧ୍ୟ ଜବତ କରିଥିବାବେଳେ ରବିବାର ଅପରାହ୍ନରେ ସମ୍ପୃକ୍ତ ଚୋରକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ମୁରଲୀଧର ସାହୁ I