ସୋରଡା,୩୦।୭ : ସୋରଡ଼ା ଭଞ୍ଜନଗର ରାସ୍ତା ନୂଆଁ ଗାଁ ନିକଟରେ ବୁଧବାର ଅପରାହ୍ନରେ ପିକଅପ ଭ୍ୟାନ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତ କରଡ଼ାବାଡ଼ି ଗ୍ରାମର ଅର୍ଜୁନ ମଲିକଙ୍କ ପୁଅ ବିଶୁ ମଲିକ।
ସୋରଡ଼ାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ ପିକଅପ ଭ୍ୟାନ ଧକ୍କାରେ କରଡ଼ାବାଡ଼ି ଗ୍ରାମର ଅର୍ଜୁନ ମଲିକଙ୍କ ପୁଅ ବିଶୁ ମଲିକ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ବିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୋରଡା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନକୁ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।