ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଏଥର ୭ଟି ପର୍ଯ୍ୟାୟରେ ହେବାକୁ ଯାଉଛି । ଆଉ ଏହା ପୂର୍ବରୁ ଦେଶରେ କୋଟି କୋଟି ଟଙ୍କା ଏବଂ ମାଦକ ଦ୍ରବ୍ୟ ଧରାପଡ଼ିଲାଣି । ନିର୍ବାଚନ ଆୟୋଗ ପ୍ରତି ଦିନ ପ୍ରାୟ ୧୦୦ କୋଟି ଜବତ କରିଥିବା ଜଣାପଡ଼ିଛି । ଏହିଭଳି ଏପ୍ରିଲ ୧୯ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୋଟ ୪୬୫୦ କୋଟି ଟଙ୍କା ଜବତ ହୋଇସାରିଛି । ୨୦୧୯ ଲୋକସଭା ନିର୍ବାଚନ ସମୟରେ ଧରାପଡ଼ିଥିବା ଟଙ୍କା ତୁଳନାରେ ଏହା ଖୁବ ଅଧିକ । କାରଣ ୨୦୧୯ ଲୋକସଭା ନର୍ବାଚନ ସମୟରେ ମୋଟ ୩୪୭୫ କୋଟି ଜବତ ହୋଇଥିଲା ।
କେବଳ ଟଙ୍କା ନୁହେଁ ମଦ ଏବଂ ଡ୍ରଗ୍ସ ମଧ୍ୟ ବିପୁଳ ପରିମାଣରେ ଜବତ ହୋଇଛି । ୨୦୧୯ରେ ୩୦୪ କୋଟି ନଗଦ ଟଙ୍କା ଜବତ ହୋଇଥିବା ବେଳେ ୧୨୭୯ କୋଟି ଟଙ୍କାର ଡ୍ରଗ୍ସ, ୯୮୭ କୋଟି ଟଙ୍କାର ସୁନା ଏବଂ ବହୁମୂଲ୍ୟ ଜିନିଷ ଧରାପଡ଼ିଥିଲା । ଏବସୁ ର ମୋଟ ମୂଲ୍ୟ ୩୪୦୦ କୋଟିରୁ ଅଧିକ ଥିଲା । ସବୁଠୁ ବଡ଼ କଥା ହେଉଛି, ଏତେ ଟଙ୍କା, ମଦ, ଡ୍ରଗ୍ସ ଜବତ ହେଉଥିବା ବେଳେ ଏଗୁଡ଼ିକ ଯାଉଛି କୁଆଡେ ? ରହୁଛି କେଉଁଠି ? ତେବେ ନିୟମ ଅନୁସାରେ ଧନବଳ ଦ୍ବାରା ନିର୍ବାଚନକୁ ପ୍ରଭାବିତ କରିବା ବେଆଇନ୍ ।
ନିୟମ ଅନୁସାରେ, ନିର୍ବାଚନରେ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ ହେଲେ ଏହାକୁ ଜିଲ୍ଲାର ଟ୍ରେଜରିରେ ଜମା କରାଯାଏ । ଏନେଇ ଆୟକର ବିଭାଗର ନୋଡାଲ ଅଧିକାରୀଙ୍କୁ ସୂଚନା ଦେବା ମଧ୍ୟ ଜରୁରି । ମେ ୨୦୧୯ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟାପଠ ଦାଖଲ କରି ୨୦୧୪ରେ ଜବତ ଟଙ୍କା ସଂପର୍କରେ ଜଣାଇଥିଲେ । ଜବତ ହୋଇଥିବା ୩୦୩ କୋଟି ଟଙ୍କା ଲୋକଙ୍କୁ ଫେରାଇ ଦିଆଯାଇଥିବା ନେଇ ସରକାର କୋର୍ଟରେ ଜଣାଇଥିଲେ । ସେପଟେ ଏଡିଆର ଅନୁସାରେ ନିର୍ବାଚନ ସମୟରେ ଜବତ ଟଙ୍କା ଏବଂ ସାମଗ୍ରୀ ଲାଗି ଆୟକର ବିଭାଗ ପାଖରେ ଏକାଧିକ ନିୟମ ରହିଛି ।
ନିର୍ବାଚନ ସମୟରେ ଜବତ ହେଉଥିବା ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯାଏ । ଯଦି ଟଙ୍କା ପ୍ରକୃତରେ କାହାର ଜଣାପଡ଼େ ଏବଂ ସଂପୃକ୍ତ ବ୍ରକ୍ତି ଟଙ୍କା ନେଇ ଦାବି କରନ୍ତି ତେବେ ତାଙ୍କୁ ଟଙ୍କା ଫେରସ୍ତ ଦେବାର ନିୟମ ରହିଛି । ନିର୍ବାଚନ ସମୟରେ ଜବତ ହେଉଥିବା ସବୁ ଟଙ୍କା ଯେ କେବଳ ଭୋଟରଙ୍କୁ ବାଣ୍ଟିବା ଲାଗି ନିଆଯାଉଥାଏ ତାହା ନୁହେଁ । ଅନେକ ସମୟରେ ବହୁ ବ୍ୟବସାୟୀଙ୍କ ଟଙ୍କା ମଧ୍ୟ ଜବତ ହୋଇଛି । ବେଳେ ବେଳେ ଜବତ ଟଙ୍କାର କୌଣସି ଦାବିଦାର ମିଳୁନଥିବା ହେତୁ ଟଙ୍କା ଆୟକର ବିଭାଗ ପାଖରେ ପଡ଼ିକି ରହିଥାଏ । ହେଲେ ବେଆଇନ୍ ଭାବେ ଟଙ୍କା ନିର୍ବାଚନରେ ବାଣ୍ଟିବା ଲାଗି ଆସିଥିଲେ ଏହାକୁ ନେଇ କେହି ଦାବି କରିବାକୁ ଆସନ୍ତି ନାହିଁ ।
ଜବତ ଟଙ୍କା ଆୟକର ବିଭାଗ ପାଖକୁ ଯାଏ । ହେଲେ ଧରାପଡ଼ୁଥିବା ମଦର କଣ ହୁଏ ? ଜବତ ହେଉଥିବା ମାଦକ ଦ୍ରବ୍ୟ ଅବକାରୀ ବିଭାଗକୁ ହସ୍ତାନ୍ତର କରିଦିଆଯାଏ । ଏପରିକି ଅବକାରୀ ବିଭାଗ ଏବଂ ପୋଲିସ ମିଳିତ ଭାବେ ବେଆଇନ ମଦ ଜବତ କରିଥାନ୍ତି । ଦେଶୀ ଏବଂ ବିଦେଶୀ ଉଭୟ ମଦ ଜବତ କରାଯାଏ । ତେବେ ଜବତ ହେଉଥିବା ମଦକୁ ବିକ୍ରି ପାଇଁ ଦିଆଯାଏ ନାହିଁ । ଏସବୁ ବୋତଲ ଉପରେ ରୋଡ୍ ରୋଲର କିମ୍ବା ବୁଲଡୋଜର ଚଢ଼ାଇ ନଷ୍ଟା କରିଦିଆଯାଏ ବୋଲି ଅବକାରୀ ବିଭାଗର ଅଧିକାରୀଙ୍କ ପାଖରୁ ଜାଣିବାକୁ ମିଳିଛି । କେତେକ ରାଜ୍ୟରେ ବୋତଲଗୁଡ଼ିକୁ ଗାତ ଖୋଳି ପୋତି ଦିଆଯାଏ ।