ଭୁବନେଶ୍ୱର,୨୫/୦୫: ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣା ସଂସ୍ଥା ମହାନିର୍ଦ୍ଦେଶକ  (ଏଏସ୍‌ଆଇ ଡିଜି) ଡ.ୱାଇ.ଏସ୍‌. ରାୱତ୍‌ ଏବଂ ଶ୍ରୀମନ୍ଦିର ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ  ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ପୁରୀ ଶ୍ରୀମନ୍ଦିରର ବର୍ତ୍ତମାନ ଏବଂ ଭବିଷ୍ୟତ ଐତିହ୍ୟ ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା । ଉଭୟ ଏଏସ୍‌ଆଇ ଏବଂ ଶ୍ରୀମନ୍ଦିର  ପ୍ରଶାସନ ମିଳିତ ଭାବରେ ଏହି ଆଇକନିକ୍‌ ଆଧ୍ୟାତ୍ମିକ  ଓ ସାଂସ୍କୃତିକ ଐତିହ୍ୟସ୍ଥଳୀକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ଦିଗରେ କାର୍ଯ୍ୟ କରିବେ । ସେଥିପାଇଁ ଉଭୟ ସଂସ୍ଥା ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରେସ୍‌ ବାର୍ତ୍ତାରେ ସୂଚନା ଦିଆଯାଇଛି ।  

ମନ୍ଦିର ପରିସର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟ ଏବଂ ରଥଯାତ୍ରା ସମୟରେ ଗର୍ଭଗୃହରେ ବିଭିନ୍ନ କାର୍ଯ୍ୟ, ଏଏସ୍‌ଆଇ ଦ୍ୱାରା ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ ସମାପ୍ତ କରିବା, ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଓ ପ୍ରବେଶ ଦ୍ୱାରରେ ବୟସ୍କ ଏବଂ ଭିନ୍ନକ୍ଷମ ଭକ୍ତଙ୍କ ଏଣ୍ଟ୍ରି ସୁବିଧା ପାଇଁ ର‌୍ୟାମ୍ପ୍‌ ବ୍ୟବସ୍ଥା କରିବା, ନାଟ ମଣ୍ଡପରେ ଶୀତତାପ ନିୟନ୍ତ୍ରିତ  (ଏସି) ଏବଂ ମନ୍ଦିରର ସମ୍ମୁଖ ଭାଗରୁ ଆଲୋକୀକରଣ, ଜଗମୋହନର ବାହାର ସ୍ଲାପିଂ ଛାତର ସଂରକ୍ଷଣ କାର୍ଯ୍ୟ ସହ ମା’ ବିମଳା, ମହାଲକ୍ଷ୍ମୀ, ଭୁବନେଶ୍ୱରୀ, ଆଦି ନୃସିଂହ ଏବଂ ସୂର୍ଯ୍ୟ ମନ୍ଦିର ପରି ବିଭିନ୍ନ ମନ୍ଦିରରେ ବଜ୍ରପାତ ନିରୋଧ ଯନ୍ତ୍ର ଲଗାଇବା, ଜଗମୋହନ ଏବଂ  ଭୋଗମଣ୍ଡପ ସ୍ତମ୍ଭର ସଂରକ୍ଷଣ କାର୍ଯ୍ୟ ସହ ମୁଖ୍ୟ ମନ୍ଦିରର  ବାହାର ପଥରକୁ ରାସାୟନିକ ପ୍ରକ୍ରିୟାରେ ସଫେଇ କରାଯିବ ବୋଲି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।  

ଏହି ଅବସରରେ ଡ. ପାଢ଼ୀ ଏଏସ୍‌ଆଇ ଡିଜିଙ୍କୁ ମହାପ୍ରଭୁଙ୍କ ଶୁଖିଲି ଭୋଗ ପ୍ରଦାନ କରିଥିଲେ ।  ଏଏସ୍‌ଆଇ ପ୍ରତିନିଧି ଦଳରେ ଉପ-ମହାନିର୍ଦ୍ଦେଶକ ସଂରକ୍ଷଣ ଶ୍ରୀ ଜାନୱି ଶର୍ମା, ନିର୍ଦ୍ଦେଶକ ସଂରକ୍ଷଣ ଶ୍ରୀ ଭୀମ ଅଜମୀରା, ନିର୍ଦ୍ଦେଶକ ବିଜ୍ଞାନ ଶ୍ରୀ ମନୋଜ ଭଟନାଗର, ଆଂଚଳିକ ନିର୍ଦ୍ଦେଶକ ଡ. ଦିଲ୍ଲୀପ ଖମାରି ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନୟନ ପ୍ରଶାସକ ଶ୍ରୀ ଦେବବ୍ରତ ସାହୁ ଏବଂ ଓଏସଡି ନିର୍ମାଣ ଆଶିଷ୍ ସୁବୁଦ୍ଧି ଯୋଗଦେଇଥିଲେ । ବୈଠକରେ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।