ବଡ଼ବିଲ , ୧୧।୫ : : କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରରେ ଥିବା ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣାରେ ପୋଲିସକୁ ମିଳିଛି ଆଉ ଏକ ସଫଳତା । ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତକୁ ଗୁଜୁରାଟର ସୁରଟରୁ ଗିରଫ କରିଛି ବଡ଼ବିଲ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ବିହାର ପ୍ରଦେଶର ଅଲୱାର ଜିଲ୍ଲା, ମେହେନ୍ଦିଆ ଥାନା ଅନ୍ତର୍ଗତ ସେମ୍ଭୁଆ ଅଞ୍ଚଳର ରୋଶନ କୁମାର ଓରଫ ଲଡୁ । ଏହି ଘଟଣାରେ ଏପର୍ଯ୍ୟନ୍ତ ଗିରଫଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତକୁ ବଡ଼ବିଲ କୋର୍ଟରେ ହାଜର କରାଯାଇଥିବାବେଳେ ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।
ଗତ ଜାନୁଆରୀ ୧୯ ତାରିଖରେ ବଡ଼ବିଲ ସହରସ୍ଥିତ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରେ ଦିନ ଦ୍ୱିପ୍ରହରରେ ୬ ଜଣ ସଶସ୍ତ୍ର ଡକାୟତ ପ୍ରବେଶ କରି ଲୁଟପାଟ କରିଥିଲେ । ଡକାୟତମାନେ ବ୍ୟାଙ୍କରୁ ନଗଦ ୪ ଲକ୍ଷ ୩୮ ହଜାର ୭ଶହ ଟଙ୍କା ସହ ୭ ଦଶମିକ ୫୩ କିଲୋଗ୍ରାମ ଓଜନର ୧୫୫ଟି ସୁନା ଅଳଙ୍କାର ପ୍ୟାକେଟ ଲୁଟି ଫେରାର ହୋଇଯାଇଥିଲେ । ଘଟଣା ପରେ ପୋଲିସ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଥିଲା । ଏପର୍ଯ୍ୟନ୍ତ ପୋଲିସ ୩୨୦ ଗ୍ରାମ ସୁନା ଗହଣା, ୨ଟି ସ୍କର୍ପିଓ ଗାଡ଼ି, ଗୋଟିଏ ବାଇକ୍ ଓ କିଛି ମୋବାଇଲ୍ ଫୋନ୍ ଜବତ କରିଥିବା ସୂଚନା ମିଳିଛି । ଘଟଣାରେ ଆହୁରି କିଛି ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ସନ୍ଦେହରେ ପୋଲିସ ତଦନ୍ତ ଜାରି ରଖିଛି ।
ଆହରୁ ପଢନ୍ତୁ :ହାଡପା ନିଖିଲ ହତ୍ୟା ଘଟଣା : ଅଭିଯୁକ୍ତଙ୍କ ଘରେ ପଶି ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା