ଭୋଗରାଇ,୦୪/୦୬: ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ରସୁଲପୁର ପଞ୍ଚାୟତ ଅନ୍ତର୍ଗତ ପିଠାପୁର ଗାଁର ପୋଖରୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୁଲିସ ।
ସୂଚନା ମୁତାବକ, ବୁଧବାର ସକାଳେ ପିଠାପୁର ଗାଁର ଅବିନାଶ ନାୟକଙ୍କ ଘରର ପୂର୍ବପଟରେ ଥିବା ପୋଖରୀରେ କେହି ଜଣେ ଭାସୁଥିବାର ଦେଖି ଗାଁ ଲୋକେ ଅବିନାଶଙ୍କ ପରିବାରକୁ ଖବର ଦେଇଥିଲେ । ପରେ ଅବିନାଶ ପୋଖରୀ କୂଳକୁ ଯାଇ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ । ପରେ ସ୍ଥାନୀୟ ୱାର୍ଡ ମେମ୍ବର ପ୍ରଫୁଲ୍ଲ କୁମାର ସେଠୀ, ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ସହିତ ଏ ସମ୍ପର୍କରେ ଭୋଗରାଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଭୋଗରାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର ସହାୟତାରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଏହା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ସ୍ଥାନୀୟ ଲୋକଙ୍କ କରିବା ଅନୁଯାୟୀ, ମୃତ ବ୍ୟକ୍ତିଜଣକ କିଛିଦିନ ଧରି ଭୋଗରାଇ ହାଟ ସମେତ ଆଖପାଖ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲା । ଏପରିକି ମଙ୍ଗଳବାର ସନ୍ଧ୍ୟାରେ ପିଠାପୁର ଗାଁର ମହାଦେବ ମନ୍ଦିର ପାଖରେ ଥିବା ଏକ ଦୋକାନରେ ବସିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେଣୁ ବ୍ୟକ୍ତି ଜଣକ ମାନସିକ ବିକୃତ ଅଥବା ପାଗଳ ହୋଇଥାଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।