ବାରିପଦା,୨୮/୦୫: ବୁଧବାର ମୟୂରଭଞ୍ଜ ଜିଲ୍ଲା ପାଲବଣୀରୁ ରଙ୍ଗା ମାଟିଆ ରାସ୍ତାର ଉଭୟ ପାର୍ଶ୍ବରୁ ଜବର ଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ, ପୌରପ୍ରଶାସନ ଏବଂ ପୁଲିସ ପ୍ରଶାସନ ମିଳିତ ଭାବରେ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ କରିଛନ୍ତି । ଉଚ୍ଛେଦ ପ୍ରକ୍ରିୟାରେ ୩ଟି ଜେସିବି ଲାଗିଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ହୋଇଛନ୍ତି । ବାରିପଦା ଉପ-ଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡାଙ୍କ ସମେତ ବାରିପଦା ତହସିଲଦାର, ବାରିପଦା ପୌର ନିର୍ବାହୀ ଅଧିକାରୀ, ପିଡବ୍ଲ୍ୟୁଡିର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଉଚ୍ଛେଦ ପ୍ରକ୍ରିୟା ତଦାରଖ କରୁଛନ୍ତି ।
ଉଲ୍ଲେଖ ଯୋଗ୍ୟ ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ ପାଲବଣୀରୁ ରଙ୍ଗା ମାଟିଆ ମେଡିକାଲ କଲେଜ ରୋଡ୍ ଚାରି ଥାକିଆ ହେବ । ଏଥିପାଇଁ ଅନଲାଇନ୍ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଜାରି ରହିଛି । ତୁରନ୍ତ ଉଚ୍ଛେଦ ପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ବୁଧବାରଠାରୁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଲୋକଙ୍କୁ ଜବର ଦଖଲ ମୁକ୍ତ କରିବାକୁ ମେ' ୨୭ ଯାଏଁ ସମୟ ଦିଆଯାଇଥିଲା । ଏନେଇ ପୂର୍ବରୁ ନୋଟିସ୍ ଦିଆଯିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସୂଚୀତ କରାଯାଇଥିଲା । ୨୮ ତାରିଖରେ କୌଣସି କଥା ଶୁଣା ଯିବନି ବୋଲି ପ୍ରଶାସନ ଘୋଷଣା କରିଥିଲା । ଯେଉଁମାନେ ଜବର ଦଖଲରୁ ହଟି ନଥିଲେ, ସେମାନଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।