କଳାହାଣ୍ଡି ୨୨।୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି କରାଯାଇଛି । ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡି କେନ୍ଦ୍ରର ଛୁଟି ଅବଧି ବଢ଼ାଇଛନ୍ତି ଜିଲ୍ଲା ପ୍ରଶାସନ । ଏପ୍ରିଲ ୨୨ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ବୃଦ୍ଧି କରାଯାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ସକାଳ ୭ରୁ ୯ଟା ଯାଏ ଚାଲିବ ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୮ରୁ ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ-କଲେଜ, ଅଙ୍ଗନୱାଡିକୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ । ଏ ନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ତେବେ ଏବେବି ଅସହ୍ୟ ଗୁଳିଗୁଳି ଆଉ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଛୁଟି ଅବଧି ଜିଲାପାଳ ବଢ଼ାଇଛନ୍ତି। ଏପ୍ରିଲ ୨୨ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ବଢ଼ାଇ ଦିଆଯାଇଛି ।

ପୂର୍ବରୁ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ଛୁଟି ଘୋଷଣା କରାଯାଇସାରିଛି । ଅଧିକାଂଶ ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଅଞ୍ଚଳରେ ଥିବା ସ୍କୁଲ ଏବଂ ଅଙ୍ଗନଓ୍ବାଡି, କଲେଜକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଜିଲ୍ଲାରେ ସ୍କୁଲ ଖୋଲା ରହିଛି  ସେଠାରେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ପାନୀୟ ଜଳ, ଓଆରଏସର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି।