ନୂଆଦିଲ୍ଲୀ,୦୩/୦୫: ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ପାକିସ୍ତାନ ସହ ସବୁ ବାଣିଜ୍ୟ କାରବାର ଛିନ୍ନ କରିଛି ଭାରତ । ପାକିସ୍ତାନ ସହ ସବୁ ପ୍ରକାର ଆମଦାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ବ୍ୟାନ୍ ହୋଇଛି । ଏ ନେଇ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଜାତୀୟ ସୁରକ୍ଷା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଥିବା ସ୍ପଷ୍ଟ କରିଛନ୍ତି ଡିଜିଏଫଟି ।

ଭାରତ ପକ୍ଷରୁ କୂଟନୈତିକ ସହିତ ଆର୍ଥିକ ଏବଂ ବ୍ୟବସାୟିକ ମଞ୍ଚରେ ମଧ୍ୟ ପାକିସ୍ତାନ ଉପରେ ପଦକ୍ଷେପ ଗ୍ରହଣ ହୋଇଛି । ପାକିସ୍ତାନ ଉପରେ ଭାରତ ଆଉ ଏକ ଷ୍ଟ୍ରାଇକ୍ କରି ବାଣିଜ୍ୟ କାରବାର ବନ୍ଦ କରିଛି । ପାକିସ୍ତାନରୁ ଆସୁଥିବା ସବୁ ପ୍ରକାର ସାମଗ୍ରୀ ଉପରେ ବର୍ତ୍ତମାନଠୁ ପ୍ରତିବଦ୍ଧକ ଲଗାଯାଇଛି । ଆମଦାନୀ ବନ୍ଦ କରିବାକୁ ନିଷ୍ପତି ହୋଇଛି । ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ମେ ୨ରେ ଜାରି ନିର୍ଦ୍ଦେଶନାମା ଅନୁସାରେ, ଏହି ନିଷ୍ପତ୍ତି ବୈଦେଶିକ ବାଣିଜ୍ୟିକ ପଲିସି (ଏଫଟିପି)ରେ ସଂଶୋଧନ କରାଯାଇଛି । ଏହି ପ୍ରତିବନ୍ଧକ ଲଗାଯିବା ଫଳରେ ଏବେ ପାକିସ୍ତାନରୁ କିଛି ବି ସାମଗ୍ରୀ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଭାରତକୁ ଆସିପାରିବ ନାହିଁ । ଜାତୀୟ ସୁରକ୍ଷା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ବିଦେଶ ବ୍ୟାପାର ମହାନିର୍ଦ୍ଦେଶକ (DGFT) ।

ଏହା ବି ପଢନ୍ତୁ...ଡିଜିଟାଲ ଷ୍ଟ୍ରାଇକ; ପାକ୍ ପିଏମ୍ ଶାହବାଜ ସରିଫ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍, ସୂଚନାମନ୍ତ୍ରୀଙ୍କ 'ଏକ୍ସ' ବ୍ଲକ

କହି ରଖୁ କି, ଗତ ଏପ୍ରିଲ ୨୨ରେ ଜମ୍ମୁ କଶ୍ମୀର ପହଲଗାମର ବୈସନର ଘାଟିରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଦୁଇ ଦଶ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି । ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛନ୍ତି ଭାରତ ସରକାର । ପ୍ରଥମେ ୱାଟର ଷ୍ଟ୍ରାଇକ୍‌ରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିଥିଲା । ଏହା ପରେ ଡିଜିଟାଲ ଷ୍ଟ୍ରାଇକ୍‌ରେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ଅଭିନେତାଙ୍କ ୟୁଟ୍ୟୁବ ଓ ଏକ୍ସ ଆକାଉଣ୍ଟ ବ୍ଲକ କରିଥିଲେ । ସେହିପରି ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ସହ ଅଟାରୀ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ।