ଫିରିଙ୍ଗିଆ,୧୪।୪, ଗଞ୍ଜେଇ ଚୋରା ଚାଲାଣର ହବ ପାଲଟିଛି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳ । ପୋଲିସ ଓ ଅବକାରୀ ବିଭାଗ ଏହି ଗଞ୍ଜେଇ କାରବାର ଉପରେ ରୋକ ଲଗେଇବା ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଅଂଚଳରୁ ଏହି ଚୋରା ଗଞ୍ଜେଇ କାରବାର ଥମିବାର ନା ଧରୁନି । ଫିରିଙ୍ଗିଆ ପୋଲିସର ଏକ ଟିମ ଚଢାଉ କରି ଏକ ଅଲ୍ଟୋ କାର ସହ ଏକ କୁଇଣ୍ଟାଲ ଆଠ ସହ ଗ୍ରାମ ଗଞ୍ଜେଇକୁ ଜବତ କରିଛି। ଏଥିସହ ଦୁଇଜଣ ବିହାରୀ ଗଞ୍ଜେଇ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୋଲିସ ।

ସୋମବାର ଭୋରରୁ ଏକ କାର ରେ ଫିରିଙ୍ଗିଆ ଥାନା ମଣିପଦର ଅଂଚଳରୁ ବିହାରକୁ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସକୁ ଖବର ମିଳିଥିଲା। ଖବର ପାଇବା ପରେ ଏସ ଆଇ ଦୀପକ କୁମାର ରାଉତଙ୍କ ସହ ଏକ ଟିମ କାରଟିକୁ ଫିରିଙ୍ଗିଆ ସାରଙ୍ଗଗଡ଼ ରାସ୍ତାର ରତଙ୍ଗ ନିକଟରେ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସକୁ ଚକମା ଦେଇ କାରଟି ଖସି ଯିବାକୁ ଚେଷ୍ଟା କରୁଥୁବା ବେଳେ ପୁଲିସ କାର ଟିକୁ ପିଛା କରିଥିଲା । ଶେଷରେ କାରରେ ଥିବା ଲୋକ ମାନେ ଫୁଲବାଣୀ ସହର ମଧ୍ୟରେ ଥିବା ଆନନ୍ଦ ବଜାର ନିକଟରେ କାରଟିକୁ ଛାଡି ଦେଇ ଫେରାର ହୋଇ ଯାଇଥିଲେ। ପରେ ସ୍ଥାନୀୟ ଅଂଚଳରେ ଲାଗିଥିବା ସିସିଟିଭି ଫୁଟେଜ ପୁଲିସ ଯାଞ୍ଚ କରିଥିଲା। ମାଫିଆ ମାନଙ୍କ ଫୋନ ନମ୍ବରକୁ ଟ୍ରାକିଂ କରିବା ପରେ ମାଫିଆ ମାନେ ଏକ ବସରେ ଭୁବନଶ୍ୱର ଯାଉଥିବା ପୋଲିସକୁ ସୂଚନା ମିଳିଥିଲା । ପରେ ଫିରିଙ୍ଗିଆ ପୋଲିସ ଭୁବନେଶ୍ୱର ତମାଣ୍ଡୋ ପୋଲିସର ସହଯୋଗରେ ଏକ ଘରୋଇ ବସରୁ ମାଫିଆ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।ଗିରଫ ଦୁଇ ମାଫିଆ ମାନଙ୍କ ମଧ୍ୟରେ ଜଣେ ବିହାର ର ଭାବୁଆ ଜିଲ୍ଲା ଅଧୀନରେ ଥିବା ମୋହନିଆଁ ଥାନା ର ବରକତ ନଗର ଗାଁ ର ଇବ୍ରାହିମ ଫାରୁକ , ଅନ୍ୟଜଣେ ଭାବୁଆ ଜିଲ୍ଲା ମୋହନିଆଁ ଥାନା ସାମାଜୁଟା ଗାଁ ର ରାହୁଲ କୁମାର ।

ଫିରିଙ୍ଗିଆ ପୋଲିସ ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଶନି ମନ୍ଦିର ନିକଟରେ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆଙ୍କ ଉପସ୍ଥିତିରେ କାରରୁ ଗଞ୍ଜେଇକୁ ବାହାର କରିବା ସହ ଓଜନ କରି ଭିଡିଓ ଗ୍ରାଫି କରିଛି । ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରି ଗିରଫ ଦୁଇ ଅଭିଯୁକ୍ତ ମାଫିଆ ମାନଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି।