ଭୁବନେଶ୍ୱର,୨୧/୦୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି  ଜଣାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ କେନ୍ଦ୍ର ମନ୍ତ୍ରୀ  ଓ ବିଭିନ୍ନ ରାଜ୍ୟର ମନ୍ତ୍ରୀ ଓ ରାଜନୈତି ଦଳର ବରିଷ୍ଠ ନେତାମାନଙ୍କ ଭିଡ଼ ଲାଗିଛି । ଆଜି ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସଂସ୍କୃତି ଓ  ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ମତ୍ସ୍ୟ  ପଶୁପାଳନ ଓ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ଏସ୍‌ପି ସିଂ ବାଘେଲ, ଦକ୍ଷତା ବିକାଶ ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିଂ  ଚୌଧାରୀ, କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ କିଶନପାଲ ଗୁଜ୍ଜର,  କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡସେ,  କର୍ଣ୍ଣାଟକ ରାଜ୍ୟପାଳ ଥାୱରଚନ୍ଦ ଗେହଲଟ, ଉତ୍ତରପ୍ରଦେଶ  ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ସମେତ ବିଭିନ୍ନ ରାଜ୍ୟର  ବରିଷ୍ଠ ମନ୍ତ୍ରୀ ଏବଂ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ  ନେତାଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବେ।

ସେପଟେ ଆସନ୍ତା ୨୨ ତାରିଖରେ ସ୍ୱର୍ଗତ ପ୍ରଧାନଙ୍କ ଏକ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ହେବ । ଏନେଇ ରାଜ୍ୟ ବିଜେପି  ବ୍ୟାପକ ପ୍ରସ୍ତୁତି ଚଳାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କର ସ୍ମୃତିଚାରଣ କରିବାକୁ ବିଜେଡି, କଂଗ୍ରେସ ସମେତ ଅନ୍ୟାନ୍ୟ  ରାଜନୈତିକ ଦଳକୁ ନିମନ୍ତ୍ରଣ ଦିଆଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ  ଅଧ୍ୟକ୍ଷତାରେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ଓୟୁଏଟି ବିଶ୍ୱବିଦ୍ୟାଳୟର "କୃଷି ଶିକ୍ଷା ସଦନ'ରେ  ସନ୍ଧ୍ୟା ୫ଟାରୁ ଶ୍ରଦ୍ଧାଞ୍ଜଳି ସଭା ଚାଲିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ  ସଦସ୍ୟ, ସାଂସଦ, ବିଧାୟକ, ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିବେ ।  ବିଜେଡି, କଂଗ୍ରେସ, କମ୍ୟୁନିଷ୍ଟ, ଆପ୍‌ ଦଳର ବରିଷ୍ଠ ଓ ପ୍ରମୁଖ  ନେତୃବୃନ୍ଦଙ୍କ ସହ ବିଭିନ୍ନ ସାମାଜିକ ସଂଗଠନ, ଧାର୍ମିକ ସଂଗଠନ,  ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସାମ୍ବାଦିକ, ଡାକ୍ତର, ଅଧିବକ୍ତାମାନେ  ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । 

ପ୍ରସ୍ତୁତି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ)  ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ସମୀର  ମହାନ୍ତି, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ  ମୁଖପାତ୍ର ସଜ୍ଜନ ଶର୍ମା, ସୁଦୀପ୍ତ ରାୟ, ଅନିଲ ବିଶ୍ୱାଳ ଓ ସାଂସ୍କୃତି  ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।