ମନମୁଣ୍ଡା, ୧୬/୦୫: ଶୁକ୍ରବାର ସକାଳ ସମୟରେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥିଲା। ବି ପି ଏମ ରାକେଶ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସି ଏଚ ସି ଅଧ୍ୟକ୍ଷ ଡାକ୍ତର ମହେନ୍ଦ୍ର କୁମାର ସଏ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ପି ଏଚ ଇ ଓ ସୁଦର୍ଶନ ପ୍ରଧାନ ଏହି ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଡେଙ୍ଗୁ ଏକ ମଶା ବାହିତ ଭୁତାଣୁ ଜନିତ ଘାତକ ରୋଗ, ପରିବେଶ ପରିଷ୍କାର ରଖିବା, ନିୟମିତ ମଶାରୀ ବ୍ୟବହାର କରିବା, ଡେଙ୍ଗୁର ଲକ୍ଷଣ ଦେଖିଲେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ ନେବା ଏବଂ ଏହା ସଫଳଭାବେ ପ୍ରତିରୋଧ କରି ହେବ ବୋଲି ଭି ଭି ଡି ଟି ଏସ ମାନସ ପଟ୍ଟନାୟକ କହିଥିଲେ।
ପାଣି ଜମୁଥିବା ସ୍ଥାନ ସପ୍ତାହକୁ ଥରେ ସଫା କରିବା, ପୁରା ହାତ ପୋଷାକ ପିନ୍ଧିବା, ଜ୍ଵର ସହ ଦେହ, ହାତ, ଆଖି ବିନ୍ଧିବା, ଦେହରେ ଲାଲ ଲାଲ ହୋଇ ଫଳିଯିବା ଦେଖିଲେ ଡାକ୍ତରଖାନାକୁ ତୁରନ୍ତ ଯିବା, ଘର ପାଖରେ ଲଟା ବୁଦା ରଖିବା ନାହିଁ, ଖୋଲା ଦେହରେ ବୁଲା ବୁଲି କରିବା ନାହିଁ (ବିଶେଷ କରି ସକାଳେ ଓ ସନ୍ଧ୍ୟାରେ ), ଡାକ୍ତରଙ୍କ ବିନା ପରାମର୍ଶରେ ପୀଡ଼ା ନିବାରକ ଔଷଧ ନ ଖାଇବା ଇତ୍ୟାଦି ଅନେକ ବିନ୍ଦୁ ଉପରେ ମୁଖ୍ୟ ଅତିଥି ଡ଼ା. ସଏ ନିଜ ବକ୍ତବ୍ୟରେ କହିଥିଲେ। ଡେଙ୍ଗୁର ପରୀକ୍ଷା ଓ ଚିକିତ୍ସା ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ବିନା ମୂଲ୍ୟରେ ଉପଲବ୍ଧ ବୋଲି ବି ଏ ଏମ ସୁବାସ ମେହେର କହିଥିବାବେଳେ ବି ଏନ୍ ଏଲ ଡବ୍ଲୁ ହୃଷିକେଶ ଭୋଇ, ବିଡିଏମ ଉଦିତ ସାହୁ, ଏଲ ଏଚ ବି ଅର୍ଚ୍ଚନା କୁମାରୀ ଦାସ ମହାପାତ୍ର ପ୍ରମୁଖ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଅନେକ ଉପାଦେୟ ବିନ୍ଦୁ ଉପରେ ଆଲୋକପାତ କରି ସଚେତନତା କରିଥିଲେ। ଶେଷରେ ପି ଏଚ ଇ ଓ ସୁଦର୍ଶନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଶା ଦିଦି, ରୋଗୀ ମାନଙ୍କ ପରିଚାରକ ଓ ଅନେକ ସାଧାରଣ ଜନତା ଉପସ୍ଥିତ ରହିଥିଲେ।