ଭୁବନେଶ୍ୱର,୧୭/୧୧: ଦିନ ଗଡ଼ୁଛି ।  ହେଉନି ପଦବି ପୂରଣ । ଆଜି କାଲି ହୋଇ ସରକାରକୁ ୫ ମାସ ପୂରିଲାଣି । ନିଗମ ଓ ବୋର୍ଡରେ ଥଇଥାନ ହେବାକୁ ଲବିରେ ଥିବା ବିଜେପି ନେତାମାନେ ଅଥୟ ହେଲେଣି । ହେଲେ ଫଳ ଶୂନ । ଦଳ ପାଇଁ ଖଟିଥିବା ନେତାମାନଙ୍କୁ ପୁରସ୍କାର ଭାବେ ନିଗମରେ ଥଇଥାନ କରିବ ବୋଲି ଆଶା ଦେଲା । ଏଥିପାଇଁ ଗୋଡ଼ ଟେକି ବସିଥିବା ନେତାମାନେ ଏବେ ପୂରା ଛଟପଟ ।  କାହିଁକି ନିଗମ ଓ ବୋର୍ଡରେ ନିଯୁକ୍ତି ହେଉନି  ତା’ର ଜବାବ କାହା ପାଖରେ ନାହିଁ ।

ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି  ପଡ଼ିଛି । ଏଥିପାଇଁ ମଧ୍ୟ ଯୋଗ୍ୟ ଚେହେରା  ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ଲଡ଼ୁ ଖାଇବାକୁ  ବହୁ ବିଧାୟକ ଟାକି ବସିଛନ୍ତି । ପଦ୍ମ କିନ୍ତୁ ଘୁଞ୍ଚି  ଘୁଞ୍ଚି ଯାଉଛି । ନିଜ ଦମ୍‌ରେ ବିଜେପି ୨୪ ବର୍ଷର ବିଜେଡି  ସରକାରକୁ ହଟେଇ କ୍ଷମତାକୁ ଆସିଲା ।  ଦଳ ପାଇଁ ଦୀର୍ଘବର୍ଷ ପରିଶ୍ରମ କରିଥିବା  ନେତାମାନଙ୍କୁ ଦଳ ଯେ ନିଶ୍ଚୟ ପୁରସ୍କୃତ କରି  ନିଗମରେ ଥଇଥାନ କରିବ ଏମିତି ଆଶା  ବାନ୍ଧିଲେ କିଛି ନେତା । ମାତ୍ର ‘ଛାମୁ ଯାହା  ଦେଲେ ହରଷେ...ପାଉ ପାଉ ଗଲା ବରଷେ’  ନ୍ୟାୟରେ ଏଯାଏ ନିଗମ ଲଡ଼ୁ ମିଳିନି । ଓଡ଼ିଶା  ସରକାରଙ୍କର ନିଗମ ଓ ବୋର୍ଡ ସଂଖ୍ୟା ପ୍ରାୟ  ୩୭ । ସରକାର ବଦଳିବା ପରେ ନିଗମ ଓ  ବୋର୍ଡ ଅଧ୍ୟକ୍ଷ ସହ ଉପଦେଷ୍ଟାମାନେ ପଦ  ଛାଡ଼ିଛନ୍ତି । ତେଣୁ ଏହି ପଦରେ ଦଳୀୟ  ନେତାଙ୍କୁ ଥଇଥାନ କରିବାକୁ ବିଜେପି ଓ  ସରକାର ମଧ୍ୟ ବିଚାର ବିମର୍ଶ କରିଥିଲେ ।  ମାତ୍ର ଏଯାଏଁ ଦଳର ହାଇକମାଣ୍ଡ ଏହାକୁ ଏଯାଏ  ଅନୁମୋଦନ କରିନାହାନ୍ତି । 

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ନିଗମ,  ଆପିକଲ, ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ,  ପର୍ଯ୍ୟଟନ ନିଗମ, ଚଳଚ୍ଚିତ୍ର ନିଗମ ସହ ନିର୍ମାଣ  ଶ୍ରମିକ ଓ ଖଦି ବୋର୍ଡ ଭଳି ପ୍ରାୟ ଦୁଇ ଡଜନରୁ  ଅଧିକ ପ୍ରମୁଖ ସଂସ୍ଥାରେ କିଏ ହେବ ମୁଖିଆ?  ଏହାକୁ ନେଇ ବିଜେପିର ନେତାମାନଙ୍କ ମଧ୍ୟରେ  ଆରମ୍ଭ ହୋଇଛି ଧାଁ ଦୌଡ଼ । ବିଜେପିର ବହୁ  ନେତା ବର୍ଷ ବର୍ଷ ଧରି ଦଳ ପାଇଁ କଠିନ ପରିଶ୍ରମ  କରିଥିଲେ । ଆଉ କିଛି ନେତା ଟିକଟରୁ ବଞ୍ଚିତ  ହୋଇଥିଲେ । ଏବେ ଦଳ ସରକାରକୁ ଆସିବା  ପରେ ଏହି ନେତାମାନେ ନିଗମ ଲଡୁ ଖାଇବାକୁ  ବ୍ୟାକୁଳ ଥିଲେ ମଧ୍ୟ ଦଳ ଦିନ ଗଡ଼ାଇ ଚାଲିଛି । କାହିଁକି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁନି? ଏହାର  ଉତ୍ତର ଦେବାକୁ ଦଳରେ ତଳୁ ଉପର ଯାଏଁ  ଥତମତ । ଚର୍ଚ୍ଚା ହେଉଛି, ଏହି ପଦବିରେ କିଏ  ବସିବ ସେହି ତାଲିକା ତିଆରି ହେଉଛି। ମାତ୍ର  ସହମତର ମୋହର ବସିପାରୁନି । ଯେତିକି ବିଳମ୍ବ  ହେଉଛି ଅଙ୍କ ସେତିକି ଗୋଳମାଳିଆ ଧରୁଛି । 

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବି  ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦବି । ଏହି ପଦରେ  ଗତ କିଛିବର୍ଷ ହେବ କାହାକୁ ନିଯୁକ୍ତି ମିଳିନି ।  ବୋର୍ଡ ଏବେ ଏକରକମ ଅଚଳ । ମହିଳା  କମିଶନ ଅଧ୍ୟକ୍ଷା ଓ ଶିଶୁ ଅଧିକାର ସୁରକ୍ଷା  ଆୟୋଗ ଅଧ୍ୟକ୍ଷ ପଦରେ ବସିବାକୁ ବହୁ  ନେତ୍ରୀ କଳ, ବଳ ଓ କୌଶଳ ଲଗାଇଛନ୍ତି ।  

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ  (ଡବ୍ଲ୍ୟୁଓଡିସି) ହେଉଛି ସରକାରଙ୍କର ଏକ  ଗୁରୁତ୍ୱପୂର୍ଣ୍ଣ ସଂସ୍ଥା । ଏ ପରିଷଦରେ ଜଣେ  ଅଧ୍ୟକ୍ଷ ଓ ଏକାଧିକ ସଦସ୍ୟ ନିଯୁକ୍ତି ପାଇବେ ।  ଏହାକୁ ଦୃଷ୍ଟିରେ ରଖି ବିଜେପିର ବହୁ ଓଜନିଆ  ନେତା ରେସରେ ଦୌଡ଼ି ଥକିଗଲେଣି । ଫଳ  କିନ୍ତୁ ବାହାରୁନି । ବିଜେଡି ସରକାର ଜନଜାତି  ଭାଷା, ସଂସ୍କୃତି, ପୂଜାସ୍ଥଳୀର ସଂରକ୍ଷଣ ପାଇଁ  ୧୪ ଜିଲ୍ଲାରେ ଗଠନ କରିଥିଲେ ସ୍ୱତନ୍ତ୍ର ଉନ୍ନୟନ  ପରିଷଦ । ଏହି ପରିଷଦର ପରାମର୍ଶଦାତା  ଭାବେ ବିଜେପି ସରକାର ଦଳର ଆଦିବାସୀ  ନେତାମାନଙ୍କୁ ପରାମର୍ଶଦାତା ସହ ସଦସ୍ୟଭାବେ  ଥଇଥାନ କରିପାରେ । ବହୁ ଜନଜାତି ନେତା  ନିଜ ସମ୍ପର୍କକୁ ଆଧାର କରି ଲବିକୁ ତେଜୀୟାନ୍‌  କରିଛନ୍ତି । ବିଭିନ୍ନ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟର  ଅଧ୍ୟକ୍ଷ ପଦରେ ମଧ୍ୟ ନୂଆ ନିଯୁକ୍ତି ମିଳିପାରେ ।  ସରକାର ଗଢ଼ିବା ପରେ ଦଳୀୟ କୋର୍‌ କମିଟି  ବୈଠକରେ ଏ ପ୍ରସଙ୍ଗ ଆଲୋଚନା ହୋଇଥିଲା ।  ମାତ୍ର ନୂଆଦିଲ୍ଲୀର ସବୁଜ ସଙ୍କେତ କାଳେ  ଏଯାଏଁ ମିଳିନି । 

ପ୍ରଧାନମନ୍ତ୍ରୀ ବିଜେପି ମୁଖ୍ୟମନ୍ତ୍ରୀମାନଙ୍କ  ବୈଠକରେ ସଂଗଠନ ଓ ସରକାର ତାଳମେଳ  ରଖି ବାଟ ଚାଲିବାକୁ ପରାମର୍ଶ ଦେଇଛନ୍ତି ।  ସଂଗଠନକୁ ଦୃଷ୍ଟିରେ ରଖି ନିଗମ ଓ  ବୋର୍ଡଗୁଡ଼ିକର ମୁଖିଆ କିଏ ହେବ ନିଷ୍ପତ୍ତି  ହେବ ବୋଲି ଦଳରେ ଟୁପୁରୁଟାପୁରୁ ଚାଲିଛି ।  ସେହିଭଳି ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ ମନ୍ତ୍ରୀ  ପଦ ଖାଲି ପଡ଼ିଛି । ଖାଲିଥିବା ସ୍ଥାନରେ  ମନ୍ତ୍ରୀ ନିଯୁକ୍ତି ଦେବାରେ ମୁଖ୍ୟମନ୍ତ୍ରୀ ବିଳମ୍ବ  କରିବାର କାରଣ କ’ଣ ବୋଲି ଦଳ ଭିତରେ  ଚର୍ଚ୍ଚା ହେଉଛି । ଚଳିତ ମାସରେ ଆଇପିଏସ୍‌  ସମ୍ମିଳନୀ ଓ ଆସନ୍ତା ଜାନୁଆରୀରେ ପ୍ରବାସୀ  ଭାରତୀୟ ସମ୍ମିଳନୀରେ ଯୋଗଦେବାକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ  ଆସିବେ । ମୋଦିଙ୍କ ଗସ୍ତ ପରେ ନୂଆ ମନ୍ତ୍ରୀଙ୍କୁ  ନିଜ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ନେବାର ସମ୍ଭାବନା ଥିବା ଜଣେ  ଦଳୀୟ ନେତା କହିଛନ୍ତି । ଏହାଛଡ଼ା ନିଗମ ଓ  ବୋର୍ଡ ଅଧ୍ୟକ୍ଷ ପଦ ନେଇ ନେତାଙ୍କ ମଧ୍ୟରେ  ଟଣାଓଟରା ଲାଗି ରହିଥିବାରୁ ନିଯୁକ୍ତି ବିଳମ୍ବ  ଧରିଛି ବୋଲି ଦଳ ଭିତରେ ଆଲୋଚନା  ଜୋର୍‌ ଧରିଛି।