ଭୁବନେଶ୍ୱର,୨୪/୧୨: ନୂଆଦିଲ୍ଲୀ ରାଜପଥରେ ହେବାକୁ ଥିବା ୭୬ ତମ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଓଡ଼ିଶା ନିର୍ଦ୍ଦେଶାଳୟର ସମର ଶିକ୍ଷାର୍ଥୀ ବାହିନୀ (ଏନ୍ସିସି) କଣ୍ଟିଜେଣ୍ଟ୍ ସାମିଲ ହେବେ । ରାଜ୍ୟ ସରକାରଙ୍କ ସହଯୋଗରେ ଏନ୍ସିସି କ୍ୟାଡେଟ୍ମାନେ ବିମାନରେ ନୂଆଦିଲ୍ଲୀ ଯାତ୍ରା କରିବେ । ଏଥିରେ ସାମିଲ ହେବା ପାଇଁ ୧୨୭ ଜଣଙ୍କୁ ମନୋନୀତ କରାଯାଇଛି । ଓଡିଶା ଏନ୍ସିସି କ୍ୟାଡେଟ୍ମାନେ ପ୍ରଥମ କରି ପରେଡ୍ରେ ସାମିଲ ହେବାକୁ ଯାଉଛନ୍ତି । ‘ସୁବର୍ଣ୍ଣ ଭାରତ: ଐତିହ୍ୟ ଓ ବିକାଶ’ ବିଷୟବସ୍ତୁ ଉପରେ ଆଧାରିତ ଚଳିତବର୍ଷର ସାଧାରଣତନ୍ତ୍ର ଦିବସ କ୍ୟାଡେଟ୍ଙ୍କ ମଧ୍ୟରେ ଦେଶପ୍ରେମ, ଶୃଙ୍ଖଳା, ଅନୁଶାସନ, ନେତୃତ୍ୱଗୁଣ, ଭ୍ରାତୃତ୍ୱ, ଦେଶପ୍ରେମର ଭାବ ଜାଗ୍ରତ କରିବ।
ଚଳିତବର୍ଷ ଓଡ଼ିଶା ଏନ୍ସିସି ନିର୍ଦ୍ଦେଶାଳୟ ଦ୍ୱାରା ତାଲିମ୍ ଶିବିରର ଆୟୋଜନ କରାଯାଇଛି । ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର ୬୩ ହଜାର ଏନ୍ସିସି କ୍ୟାଡେଟଙ୍କ ମଧ୍ୟରୁ ୧୨୭ ଜଣଙ୍କୁ ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେବା ପାଇଁ ମନୋନୀତ କରାଯାଇଛି । ଦିଲ୍ଲୀ ରାଜପଥରେ ରାଜ୍ୟର ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରିବେ ବୋଲି ଏନ୍ସିସି ଗ୍ରୁପ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ କହିଛନ୍ତି । ମଙ୍ଗଳବାର ଏନ୍ସିସି କ୍ୟାଡେଟ୍ଙ୍କ ଦ୍ୱାରା ରାଜ୍ୟର କଳା, ସଂସ୍କୃତି, ପରମ୍ପରା ଓ ପ୍ରତିଭା ଭିତ୍ତିକ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ପରେଡ୍ରେ ଯୋଗଦେବାକୁ କ୍ୟାଡେଟ୍ମାନେ ସୈନିକ ସ୍କୁଲ ପରିସରରେ ଅଭ୍ୟାସ କରୁଥିବା ଜଣାପଡିଛି ।