ରାୟପୁର,୦୬/୦୬: ଛତିଶଗଡ଼ର ବିଜାପୁର ଜିଲ୍ଲା ଇନ୍ଦ୍ରାବତୀ  ନ୍ୟାସନାଲ ପାର୍କ ଅଞ୍ଚଳରେ ଗୁରୁବାର ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି । ଏଥିରେ  ନକ୍ସଲ ସଙ୍ଗଠନର କେନ୍ଦ୍ରୀୟ କମିଟି  ସଦସ୍ୟ ସୁଧାକର (ଗୌତମ) ଓରଫ  ଟେଣ୍ଟୁ ଲକ୍ଷ୍ମୀ ନରସିଂହାଚଳମଙ୍କର ମୃତ୍ୟୁ  ଘଟିଛି । ସେ ତେଲଙ୍ଗାନା, ଛତିଶଗଡ଼  ଓ ମହାରାଷ୍ଟ୍ର ପାଇଁ ମୋଷ୍ଟ ୱାଣ୍ଟେଡ ମାଓନେତା ଥିଲେ । ତାଙ୍କ ମୁଣ୍ଡ ଉପରେ  ପ୍ରାୟ ୧ କୋଟି ଟଙ୍କାର ପୁରସ୍କାର  ରହିଥିଲା । ସୁଧାକର ଆନ୍ଧ୍ର ପ୍ରଦେଶ  ଚିନ୍ତାପାଲ୍ଲୀ ଅଞ୍ଚଳର ମୂଳ ବାସିନ୍ଦା । 

ବସ୍ତର ରେଞ୍ଜ୍‌ର ଜଣେ ବରିଷ୍ଠ  ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ  ନ୍ୟାସନାଲ ପାର୍କ ଅନ୍ତର୍ଗତ ଜଙ୍ଗଲରେ  ବହୁସଂଖ୍ୟକ ନକ୍ସଲ ଓ ସେମାନଙ୍କ  ନେତା ଏକାଠି ହୋଇଥିବା ନେଇ ଗୁଇନ୍ଦା  ତଥ୍ୟ ମିଳିଥିଲା । ସୁଧାକରଙ୍କ ସମେତ  ତେଲଙ୍ଗାନା ରାଜ୍ୟ କମିଟି ସଦସ୍ୟ ବନ୍ଦୀ ପ୍ରକାଶ, ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ  କମିଟି ସଦସ୍ୟ ପାପ୍ପା ରାଓ ଓ ଅନ୍ୟ  କିଛି ସଶସ୍ତ୍ର କ୍ୟାଡରଙ୍କ ଉପସ୍ଥିତି ନେଇ  ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା । ଏହାକୁ ଆଧାର  କରି ଛତିଶଗଡ଼ ପୁଲିସର ଏସ୍‌ଟିଏଫ ଓ  ଡିଆରଜି ଏବଂ ସିଆରପିଏଫ୍‌ କୋବ୍ରା  ବାଟାଲିୟନର କମାଣ୍ଡୋଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା ।  ପ୍ରାୟ ୫୦ ଘଣ୍ଟାର ଅପରେସନ ପରେ ଗୁରୁବାର  ସକାଳେ ନକ୍ସଲଙ୍କ ସହ ସେମାନେ ମୁହାଁମୁହିଁ ହୋଇଥିଲେ । ନକ୍ସଲ ସେମାନଙ୍କ ଉପରକୁ ଅତର୍କିତ  ଗୁଳିମାଡ଼ କରିଥିଲେ । ଯବାନମାନେ ତୁରନ୍ତ ପାଲଟା  ଗୁଳି ଚଳାଇଥିଲେ । ଯବାନଙ୍କ ଗୁଳିମାଡ଼ ପରେ  ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ ।  

ସେଠାରେ ଯବାନମାନେ ତଲାସୀ କରିବା ବେଳେ  ସୁଧାକରଙ୍କ ମୃତଦେହ ମିଳିଥିଲା । ପୁଲିସ ପକ୍ଷରୁ  ଏହା ସୁଧାକରଙ୍କ ମୃତଦେହ ବୋଲି କୁହାଯାଉଥିଲା  ବେଳେ ନକ୍ସଲଙ୍କ ପକ୍ଷରୁ ଏହା ଉପରେ କୌଣସି  ପ୍ରତିକ୍ରିୟା ମିଳିନାହିଁ । ସୁଧାକରଙ୍କ ମୃତଦେହ ନିକଟରୁ  ଏକ ଏକେ-୪୭ ଓ କିଛି ବିସ୍ଫୋରକ ମିଳିଛି । ସେଠାରେ ଏବେ ବି ସର୍ଚ୍ଚ ଅପରେସନ ଜାରି  ରହିଛି । ଗୁଳି ବିନିମୟ ସ୍ଥଳରେ ଅନେକ ବରିଷ୍ଠ  ନକ୍ସଲ କମାଣ୍ଡରଙ୍କ ଉପସ୍ଥିତି ନେଇ ପୂର୍ବରୁ ଗୁଇନ୍ଦା  ସୂଚନା ମିଳିଥିବାରୁ ଅଧିକ ମୃତଦେହ ମିଳିବା  ସମ୍ଭାବନା ଥିବା ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ  କହିଛନ୍ତି । ନକ୍ସଲ ସଙ୍ଗଠନରେ ଆଉ ପ୍ରାୟ ୧୫  ଜଣ ବରିଷ୍ଠ ନେତା ବଞ୍ଚିଥିବା ବେଳେ ସେମାନଙ୍କ  ମଧ୍ୟରୁ ୯ ଜଣ ଏବେ ବସ୍ତର ଜଙ୍ଗଲରେ ଲୁଚିଛନ୍ତି ।  ସେମାନଙ୍କ ମୁଣ୍ଡରେ ମୋଟ ୮.୪ କୋଟି ଟଙ୍କାର  ପୁରସ୍କାର ରହିଛି । ଚଳିତ ବର୍ଷ ସୁଧାକରଙ୍କୁ  ମିଶାଇ କେନ୍ଦ୍ରୀୟ କମିଟିର ୩ ଜଣ ସଦସ୍ୟ ନିହତ  ହେଲେଣି । ଗତ ଜାନୁଆରୀ ୨୧ରେ ଜୟରାମ ଓରଫ  ଚଲପତି ଏବଂ ମେ ୨୧ରେ ସିପିଆଇ (ମାଓବାଦୀ)  ଜେନେରାଲ ସେକ୍ରେଟାରୀ ନମ୍ବଲା କେଶବ ରାଓ  ଓରଫ ବାସବରାଜୁ ନିହତ ହୋଇଛନ୍ତି । 

ଉଲ୍ଲେଖଯୋଗ୍ୟ, ଗତ ମେ ୨୧ ତାରିଖରେ  ବସ୍ତର ଅଞ୍ଚଳରେ ସୁରକ୍ଷା ବାହିନୀର ଏନକାଉଣ୍ଟରେ  ୨୭ରୁ ଅଧିକ ନକ୍ସଲ ପ୍ରାଣ ହରାଇଥିଲେ । ସେମାନଙ୍କ  ମଧ୍ୟରେ ବାସବରାଜୁ ସାମିଲ ଥିଲେ । ତାଙ୍କ ମୁଣ୍ଡ  ଉପରେ ପ୍ରାୟ ୧.୫ କୋଟି ଟଙ୍କାର ପୁରସ୍କାର ରାଶି  ରହିଥିଲା । ଏହାର ୭ ଦିନ ପୂର୍ବରୁ ଛତିଶଗଡ଼ର  କାର୍ଟେଗୁଡା ଜଙ୍ଗଲରେ ଚାଲିଥିବା ଏନ୍‌କାଉଣ୍ଟରରେ  ୩୧ ଜଣ ନକ୍ସଲ ମଧ୍ୟ ନିପାତ ହୋଇଥିଲେ । ଗତ  ୧ ବର୍ଷ ଭିତରେ ପୁଲିସ ଏନ୍‌କାଉଣ୍ଟରରେ ଅନେକ  ନକ୍ସଲ ନେତା ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ  ଅଛନ୍ତି ଜୟରାମ ଓରଫ ଚଲପତି, ଦାମୋଦର,  ନୀତି ଓରଫ ନିର୍ମଳା, ରୂପେଶ, ଦସରୁ, ରଣଧୀର  ଓ ଯୋଗନ୍ନା । ୨୦୨୬ ମାର୍ଚ୍ଚ ସୁଦ୍ଧା ସବୁ ନକ୍ସଲଙ୍କୁ  ନିପାତ କରାଯାଇ ଦେଶକୁ ମାଓମୁକ୍ତ କରାଯିବ  ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପୂର୍ବରୁ ଘୋଷଣା  କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ନକ୍ସଲ ବିରୋଧୀ  ଅଭିଯାନକୁ ସୁରକ୍ଷାବାହିନୀ ଜୋରଦାର କରିଛନ୍ତି ।