ଖଲ୍ଲିକୋଟ, ୦୨/୦୬: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ ଘାଟି ବ୍ରିଜ ଉପରେ ଡିଭାଇଡର୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍ । ଏହି କାରଣରୁ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଛି । ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଗାଡି ଗୁଡିକୁ ରାସ୍ତାରେ ଛିଡା ହୋଇ ରହିଛି ।
ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୯ ଟା ସମୟରେ ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଏକ ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍ ଆସୁଥିଲା ।ଆସିବା ବେଳେ ହଠାତ ଭାରସାମ୍ୟ ହରାଇ ବଡ଼ ଘାଟି ବ୍ରିଜ୍ ଉପରେ ଡିଭାଇଡର୍କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଯାହା ଫଳରେ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱରରୁ ଆସିକା ମୁଖ୍ୟ ରାସ୍ତାର ହରିଡ଼ାମୂଳ ଠାରେ ବ୍ରିଜ ଉପରେ ସିଲିଙ୍ଗ ପ୍ଲେଟ ଗୁଡ଼ିକ ଏଣେତେଣେ ପଡ଼ିଥିବା କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ ଖବର ପାଇ ଖଲ୍ଲିକୋଟ ଥାନା ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ଟ୍ରେଲର୍ ଡ୍ରାଇଭର ଓ ହେଲପର୍ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।