ରାୟଗଡ଼ା,୨୭ା୩(ଆପ୍ର): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ପୁଲିସ୍‌ ଏକ ବାଇକ୍‌ ଚୋରି ରାକେଟ୍‌ ଠାବ କରିଛି । ଚୋରି ହୋଇଥିବା ୧୦ଟି ବାଇକ୍‌ ଜବତ ହୋଇଛି । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ରାୟଗଡ଼ା ବ୍ଲକ୍‌ ଶେଷଖାଲ ଥାନା କଞ୍ଚାମାଲର ଅର୍ଜୁ ପିଡ଼ିକା ଓ ଗଣ୍ଡାବାଲସାର ସହଦେବ ମାଣ୍ଡାଙ୍ଗି । ଏହି ଚୋରି ରାକେଟ୍‌ର ମାଷ୍ଟରମାଇଣ୍ଡ୍‌ ଫେରାର ରହିଛି ।  ଚାନ୍ଦିଲି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ସୂଚନା ଦେଇଛନ୍ତି ଏସ୍‌ପି ସ୍ୱାଥି ଏସ୍‌.କୁମାର । 

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗତ ବୁଧବାର ରାତି ପ୍ରାୟ ୯ଟା ୪୫ ମିନିଟ୍‌ ସମୟରେ ଏଏସ୍‌ଆଇ ଶିବରାମ ସ୍ୱାଇଁ ସଦଳବଳେ ଚାନ୍ଦିଲି ଥାନା ଅମଲାଭଟା ଛକରେ ପାଟ୍ରୋଲିଂ କରିବା ସହ ଗାଡ଼ି ଯାଞ୍ଚ କରୁଥିଲେ । ଏହି ସମୟରେ ଅର୍ଜୁ, ସହଦେବଙ୍କ ଜଣେ ସାଥୀଙ୍କ ସହ ବାଇକ୍‌(ଓଡି୧୮ସି-୮୨୫୬)ରେ ଏହି ରାସ୍ତାରେ ଆସୁଥିଲେ । ସେମାନଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା । ଏଏସ୍‌ଆଇ ଶ୍ରୀ ସ୍ୱାଇଁ ସେମାନଙ୍କୁ ବାଇକର ନଥିପତ୍ର ମାଗିଥିଲେ । ଅଥଚ ସେମାନେ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ । ସନ୍ଦେହ ହେବାରୁ ଉକ୍ତ ବାଇକ୍‌ର ନମ୍ବର ଯାଞ୍ଚ କରାଯାଇଥିଲା । ବାଇକ୍‌ରେ ଲାଗିଥିବା ନମ୍ବର ପ୍ଲେଟ୍‌ ନକଲି ବୋଲି ଜଣାପଡ଼ିଥିଲା । ଚେସିସ୍‌ ନମ୍ବର ଆଧାରରେ ତାହାର ରେଜିଷ୍ଟ୍ରସନ୍‌ ନମ୍ବର ଜଣାପଡ଼ିଥିଲା । ଯାହାକି କେ.ମାଲିଗାଁ ଗ୍ରାମର ହୁଇକା ମଙ୍ଗୁଳୁଙ୍କ ନାଁରେ ପଞ୍ଜିକୃତ ଥିବା ଜଣାପଡ଼ିଥିଲା । ସଙ୍ଗେ ସଙ୍ଗେ ମଙ୍ଗୁଳୁଙ୍କୁ ସହ ଯୋଗାଯୋଗ କରାଯାଇଥିଲା । ବାଇକ୍‌ ଟି ଗତ ଫେବ୍ରୁଆରରେ ଚୋରି ହୋଇଥିବା କହିଥିଲେ । 

ଏହାପରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ କରାଯାଇଥିଲା । ପଚରାଉଚରା ବେଳେ ଅର୍ଜୁ ଓ ସହଦେବ ବିଭିନ୍ନ ବାଇକ୍‌ ଚୋରି ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ ିଥିଲା । ସେମାନଙ୍କଠାରୁ ୧୦ଟି ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରୁ ଫେରାରଥିବା ବ୍ୟକ୍ତି ଜଣକ ଏହି ଚୋରି ମାମଲାର ମାଷ୍ଟର୍‌ ମାଇଣ୍ଡ୍‌ ବୋଲି ଜଣାପଡ଼ିଛି । ମାମଲାର ଅଧିକ ତଦନ୍ତ ଚାଲିଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ା ଏସ୍‌ଡିପିଓ ଗୌରହରି ସାହୁ, ଚାନ୍ଦିଲି ଥାନା ଆଇଆଇସି ପ୍ରସନ୍ନ କୁମାର ବେହେରା, ରାୟଗଡ଼ା ଥାନା ଆଇଆଇସି କେକେବିକେ କହଁର ଏବଂ ଶେଷଖାଲ ଥାନା ଆଇଆଇସି ମୁନୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।