ନୂଆଦିଲ୍ଲୀ: ୭୦୦ ଫୁଟ ଗଭୀର ଭିତରେ ଜୀବନ ସହ ସଂଘର୍ଷ। ଅନ୍ଧାରରେ ଅଣନିଶ୍ୱାସୀ ହୋଇ ୧୦ ଦିନ ବିତିଲା ପରେ ଶେଷରେ ଆଖି ବୁଜି ଦେଲା କଅଁଳ ଶିଶୁ ଚେତନା। ରାଜସ୍ଥାନର କୋଟପୁତଲୀ ଅଞ୍ଚଳରେ କରିତପୁରା ଗାଁରେ ଏବେ ଶୋକାକୂଳ ପରିବେଶ। ଦୀର୍ଘ ୧୦ ଦିନ ପରେ ବୋରୱେଲରେ ଉଦ୍ଧାର ହୋଇଛି ୩ ବର୍ଷୀୟା ନାବାଳିକା ଚେତନାର ମୃତଦେହ । 

୧୦ ଦିନ ଧରି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବୁଧବାର ସକାଳୁ ଚେତନାଙ୍କୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା। ସେଠାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ଦୁର୍ଭାଗ୍ୟ ଯେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହାପରେ ତାଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। 

ସୂଚନା ମୁତାବକ, ଗତ ବର୍ଷ ଡିସେମ୍ବର ୨୩ ତାରିଖରେ ଘର ବାହାରେ ଖେଳୁଥିବା ବେଳେ ନିକଟରେ ଥିବା ଏକ ବୋରୱେଲ୍ ଭିତରକୁ ଖସି ପଡ଼ିଥିଲା କୁନି ଝିଅ ଚେତନା। ହେଲେ ପରିବାର ଲୋକଙ୍କୁ ଏକଥା ଜଣା ନଥିଲା। ଝିଅକୁ ଖୋଜି ନ ପାଇବାରୁ ଖୋଜାଖୋଜି କରିଥିଲେ ବାପାମା। ହେଲେ ବୋରୱେଲ ଭିତରୁ ଝିଅର କାନ୍ଦ ଶୁଣିବା ପରେ ଝିଅ ଯେ ବୋରୱେଲ୍‌ ଭିତରକୁ ଖସି ପଡ଼ିଛି ଏକଥା ଜାଣିପାରି ଥିଲେ ପରିବାର ଲୋକେ। 

ଏହାପରେ ତୁରନ୍ତ ଖବର ବିଭାଗୀୟ ଅଧିକାରୀଙ୍କ ପାଖରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଘଟଣାରେ ଉଭୟ ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ସହ ଏକ ଡାକ୍ତରୀ ଦଳ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ। 

ଏଥିରେ ପ୍ରଥମେ ଏକ ପାଇପ ଯୋଗେ ଶିଶୁ ଚେତନାକୁ ଅକ୍ସିଜେନ ଯୋଗା ଯାଇଥିଲା। ଏବଂ କ୍ୟାମେରା ଦ୍ୱାର ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ପ୍ରଥମେ ଏକ ରଶି ସାହାଯ୍ୟରେ ଝିଅକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ଏହା ବିଫଳ ହୋଇଥିଲା। ଏହାପରେ ଗତ ବୁଧବାର ବୋରୱେଲ ସହ ସମାନ୍ତରାଳ ଭାବେ ଏକ ଗାତ  ଖୋଳାଯିବାର ଯୋଜନା ଆରମ୍ଭ କରାଯାଇଥିଲା। ହେଲେ ଶୁକ୍ରବାର ବର୍ଷା ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ବର୍ଷା ପାଇଁ ଚେତନା ପାଖରେ ଖାଦ୍ୟ ଓ ଅକ୍ସିଜେନ ପଠାଇବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ଚେତନାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ସହିତ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଝିଅର ମୃତ୍ୟୁ ପାଇଁ ବାପାମା ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି।