ଶିଲଂ : ମେଘାଳୟର ତାଶଖାଇ ଅଞ୍ଚଳରେ ଥିବା ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ଘଟଣାରେ ଅତି କମ୍‌ରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ହେବାର ସୂଚନା ଆସିଛି। ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ଏବଂ ସ୍ଥାନୀୟ ପ୍ରଶାସନ ତଥା ପୁଲିସ ତତ୍କାଳ ରେସ୍କ୍ୟୁ ଅପରେସନ ଆରମ୍ଭ କରି ଦେଇଛନ୍ତି।

ସୂଚନା ଅନୁସାରେ , ତାଶଖାଇର କୋଇଲା ଖଣିରେ ହଠାତ୍ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା , ଏହି କାରଣରୁ ଖଣି ଭିତରେ କାମ କରୁଥିବା ଶ୍ରମିକମାନେ ଏଥିରେ ପ୍ରଭାବିତ ହୋଇଥିଲେ। ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ଖଣି ଭିତରେ ଥିବା ଶ୍ରମିକଙ୍କୁ ବାହାରକୁ ଆସିବା ପାଇଁ ଆଉ ସୁଯୋଗ ମିଳି ନଥିଲା। ଆଶଙ୍କା କରାଯାଉଛି ଯେ, ମୃତକଙ୍କ ମଧ୍ୟରେ ସବୁ ଶ୍ରମିକ ଆସାମ ବାସିନ୍ଦା। ହେଲେ ପ୍ରଶାସନ ପକ୍ଷରୁ ଏବେ କିଛି ଅଫିସିଆଲି ସ୍ପଷ୍ଟ ହୋଇ ନାହିଁ

ଆହୁରି ମଧ୍ୟ ପଢନ୍ତୁ : ଉତ୍ତରପ୍ରଦେଶରେ ଚାଇନିଜ୍ ମାଞ୍ଜା ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, କାହାର ମୃତ୍ୟୁ ହେଲେ ରୁଜୁ ହେବ ହତ୍ୟା ମାମଲା

ସ୍ଥାନୀୟ ସୂତ୍ରାନୁସାରେ , ମୃତ ଶ୍ରମିକଙ୍କ ମଧ୍ୟରେ ଜଣେ ଆସାମର କଟିଗାରା ଅଞ୍ଚଳର ବିହାରା ଗାଁର ଥିବା କୁହାଯାଉଛି। ଦୁର୍ଘଟଣାର ସୂଚନା ପାଇବା କ୍ଷଣି ମେଘାଳୟ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ଏବଂ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟ ଆରମ୍ଭ କରିଦିଆ ଯାଇଥିଲା। ଖଣି ଭିତରେ ଫସି ରହିଥିବା ଅନ୍ୟ ଶ୍ରମିକଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ପ୍ରଶାସନ ଆଖାପାଖ ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷା ବଢାଇ ଦେଇଛି, ଯାହାକି ଉଦ୍ଧାର କାର୍ଯ୍ୟରେ ଯେମିତି କୌଣସି ପ୍ରତିବନ୍ଧକ ସୃଷ୍ଟି ନହୁଏ। ଅଧିକାରୀଙ୍କ କହିବାନୁସାରେ , ଧମାକାର କାରଣ ଜାଣିବା ପାଇଁ ଯାଞ୍ଚ ଆରମ୍ଭ କରିଦିଆ ଯାଇଛି। ପ୍ରାରମ୍ଭିକ ଭାବେ ଖଣିରେ ଗ୍ୟାସ ଲିକ୍ କିମ୍ୱା ଯାନ୍ତ୍ରିକ ତ୍ରୁଟିକୁ ଦୁର୍ଘଟଣାର ସମ୍ଭାବିତ କାରଣ ବୋଲି କୁହାଯାଉଛି। ହେଲେ ଯାଞ୍ଚ ସଂପୂର୍ଣ୍ଣ ହେବା ପରେ ସ୍ଥିତି ସ୍ପଷ୍ଟ ହୋଇ ପାରିବ।