ଉତ୍ତରପ୍ରଦେଶ, ୫।୨: ସମଗ୍ର ଉତ୍ତର ପ୍ରଦେଶରେ ଚାଇନିଜ୍ ସୂତା ଉପରେ ଲଗାଯାଇଛି ପ୍ରତିବନ୍ଧକ । ମାଞ୍ଜା ସୂତାରେ ବାରମ୍ବାର ଦୁର୍ଘଟଣା ପରେ ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତ୍ତି ନେଇଛନ୍ତି । ଏବେ ଉତ୍ତର ପ୍ରଦେଶରେ ଚାଇନିଜ୍ ସୂତା ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଚାଇନିଜ୍ ସୂତାର ବିକ୍ରୟ ଏବଂ ଉପଲବ୍ଧତାକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଚଢ଼ାଉ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଚାଇନିଜ୍ ମାଞ୍ଜା ଯୋଗୁଁ ଯେକୌଣସି ଜୀବନହାନିକୁ ହତ୍ୟା ବୋଲି ବିବେଚନା କରାଯିବ ଏବଂ ସେହି ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, କୌଣସି ସ୍ତରରେ ଅବହେଳା ନ ଘଟେ ତାହା ନିଶ୍ଚିତ କରିବା ପାଇଁ ଏହି ରାଜ୍ୟବ୍ୟାପୀ ଅଭିଯାନର ନିୟମିତ ଭାବରେ ସର୍ବୋଚ୍ଚ ସ୍ତରରେ ସମୀକ୍ଷା କରାଯିବ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚାଇନିଜ୍ ମାଞ୍ଜା ଯୋଗୁଁ ହେଉଥିବା କ୍ରମାଗତ ମୃତ୍ୟୁକୁ ନେଇ ଅସନ୍ତୋଷ ଥିଲେ । ନିଷେଧ ସତ୍ତ୍ୱେ ଚାଇନିଜ୍ ମାଞ୍ଜା କିପରି ବଜାରରେ ବିକ୍ରି ହେଉଛି ଏବଂ କିଏ ଏହାକୁ କିଏ ବିକ୍ରି କରୁଛି ସେ ବିଷୟରେ ସେ ସିଧାସଳଖ ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ତୁରନ୍ତ ଏବଂ ପ୍ରଭାବଶାଳୀ ଭାବରେ ନିଷେଧ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଥିଲେ । ଯୋଗୀ ଆଦିତ୍ୟନାଥ କଡ଼ା ଶବ୍ଦରେ କହିଛନ୍ତି ଯେ, ଚାଇନିଜ୍ ମାଞ୍ଜା ଦ୍ୱାରା ହେଉଥିବା ଯେକୌଣସି ମୃତ୍ୟୁକୁ ଏବେ ହତ୍ୟା ବୋଲି ବିବେଚନା କରାଯିବ ଏବଂ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ରୁଜୁ କରାଯିବ । ସେ ରାଜ୍ୟର ସମସ୍ତ ପୁଲିସ ମୁଖ୍ୟଙ୍କୁ ସେମାନଙ୍କ ଜିଲ୍ଲାରେ ଚଢ଼ାଉ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଚାଇନିଜ୍ ମାଞ୍ଜା ଯୋଗୁଁ ଘଟୁଥିବା ଘଟଣାର ଗମ୍ଭୀରତାକୁ ଦର୍ଶାଇ ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ, ବୁଧବାର ଲକ୍ଷ୍ନୌରେ ଜଣେ ମେଡିକାଲ୍ ପ୍ରତିନିଧିଙ୍କ ଗଳା କଟିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ବହୁତ ସମୟ ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଗତ ବର୍ଷ ଏପରି ୮ଟି ଘଟଣା ରିପୋର୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ନିଷେଧ ସତ୍ତ୍ୱେ ଚାଇନିଜ୍ ସୂତାର ବିକ୍ରୟ ଏବଂ ବ୍ୟବହାରକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ । ଏହି ବେଆଇନ ବ୍ୟବସାୟରେ ସମ୍ପୃକ୍ତ ସମଗ୍ର ନେଟୱାର୍କକୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଦୋଷୀମାନଙ୍କୁ ଗିରଫ କରି ଜେଲ୍ ପଠାଇବାକୁ ସେ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ, ସାରା ରାଜ୍ୟରେ ଚାଇନିଜ୍ ସୂତା ଜବତ କରିବା ପାଇଁ ଏକ କଠୋର ଏବଂ ନିରନ୍ତର ଅଭିଯାନ ଆରମ୍ଭ କରିବାକୁ ୟୁପି ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ।
ଆହୁରି ପଢ଼ନ୍ତୁ... UPSCର ବଡ଼ ଘୋଷଣା, ବାରମ୍ବାର ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇପାରିବେନି IAS ଏବଂ IFS ଅଧିକାରୀ