ନୂଆଦିଲ୍ଲୀ,୧୧।୧୧: ମଣିପୁର ପୁଣି ଅଶାନ୍ତ। ଜିରିବାମ ଜିଲ୍ଲାରେ ସୁରକ୍ଷାକର୍ମୀ ଓ କୁକି ଉଗ୍ରବାଦୀଙ୍କ ମଧ୍ୟରେ ହୋଇଛି ବଡ ଧରଣର ସଂଘର୍ଷ। ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ଏବେ ବି ସେଠାରେ ଆଉ କିଛି ଉଗ୍ରବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଉଗ୍ରବାଦୀଙ୍କ ହମଲାରେ କିଛି ଯବାନ ଓ ପୁଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଏୟାରଲିଫ୍ଟ କରି ହସ୍ପିଟାଲ ନିଆଯାଇଛି।

ମଣିପୁରର ଜିରିବାମ ଜିଲ୍ଲାରେ କୁକି ଉଗ୍ରବାଦୀମାନେ ଗୋଟିଏ ପୁଲିସ ଷ୍ଟେସନ ଉପରେ ଉଭୟ ପାର୍ଶ୍ୱରୁ ହମଲା କରିଥିଲେ। ଆଉ କିଛି କୁକି ଉଗ୍ରବାଦୀ ପାହାଡ଼ ଉପରେ ରହି ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ପୋଲିସ ଓ ସିଆରପିଏଫ ଯବାନମାନେ କୁକି ଉଗ୍ରବାଦୀଙ୍କ ହମଲାକୁ ମୁକାବିଲା କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ବେଶ କିଛି ସମୟ ଗୁଳି ବିନିମୟ ହୋଇଥିଲା। ଏଥିରେ ୧୧ ଜଣ କୁକି ଉଗ୍ରବାଦୀଙ୍କ ମୃତଦେହ ମିଳିଛି। 

ଏହା ପୂର୍ବରୁ ସୋମବାର ସକାଳେ ମଣିପୁରର ଇମ୍ଫାଲର ପୂର୍ବ ଜିଲ୍ଲାରେ ଉଗ୍ରବାଦୀଙ୍କ ଗୁଳିମାଡ ଯୋଗୁଁ କ୍ଷେତରେ କାମ କରୁଥିବା ଜଣେ କୃଷକ ଆହତ ହୋଇଛନ୍ତି। ହିଂସାରେ ଜଳୁଥିବା  ମଣିପୁରର ଇମ୍ଫାଲ ଘାଟିରେ କୃଷକଙ୍କ ଉପରେ ଲଗାତାର ଉଗ୍ରବାଦୀଙ୍କ ତିନି ଦିନ ଧରି ଆକ୍ରମଣ ଜାରି ରହିଛି। ପୋଲିସ ଅଧିକାରୀ କହିଛନ୍ତି, ଆକ୍ରମଣ କାରଣରୁ ଘାଟିର ବାହାର ଅଞ୍ଚଳରେ ରହୁଥିବା ବହୁ କୃଷକ ଚାଷ କରିବାକୁ ଭୟ କରୁଛନ୍ତି। ସେଭଳି ଗୁରୁବାର ରାତିରେ ହମାର ଆଦିବାସୀ ସଂପ୍ରଦାୟର ଜଣେ ମହିଳାଙ୍କୁ ଜିରିବାମ ଜିଲ୍ଲାରେ ଦୁଷ୍କର୍ମ ପରେ ଗୁଳି କରି କରାଯାଇଥିଲା। ଏହାପରେ ତାଙ୍କୁ ପୋଡ଼ି ଦିଆଯାଇଥିଲା। ଘଟଣା ପଛରେ ମୈତୈ ସଂପ୍ରଦାୟର ଉଗ୍ରବାଦୀ ହାତ ଥିବା ଅଭିଯୋଗ ହୋଇଥିଲା। ଘଟଣାର ଦିନକ ପରେ ମୈତୈ ସଂପ୍ରଦାୟର ଜଣେ ମହିଳାଙ୍କୁ କୁକି ବିଦ୍ରୋହୀମାନେ ଗୁଳି କରି ହତ୍ୟା କରିଥିଲେ। ମହିଳା ଜଣଙ୍କ ବିଷ୍ଣୁପୁର ଜିଲ୍ଲାରେ ଥିବା ତାଙ୍କ ଜମିରେ କାମ କରୁଥିଲେ। ଏହି ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଦୁଇ ଘଟଣାକୁ ନେଇ ମଣିପୁର ପୁଣି ଅଶାନ୍ତ ହୋଇଥିବା ବେଳେ ଏବେ ୧୧ କୁକି ଉଗ୍ରବାଦୀଙ୍କ ନିହତ ଖବର ସାମ୍ନାକୁ ଆସିଛି।

ଉଲ୍ଲେଖନୀୟ ଯେ, ଗତ ବର୍ଷ ମଇ ମାସରୁ ଇମ୍ଫାଲ ଘାଟିରେ ମୈତେଇ ଓ ପାହାଡି ଅଞ୍ଚଳରେ ରହୁଥିବା କୁକି ସମ୍ପ୍ରଦାୟର ଲୋକଙ୍କ ଭିତରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହି ହିଂସାରେ ୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ହୋଇଥିଲେ ବାସଚ୍ୟୁତ।