କଣ୍ଟାମାଳ, ୧୯/୯ : କଣ୍ଟାମାଳକୁ ସବଡିଭିଜନ, ଏନଏସି ଓ ଏକ ସବଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା କ୍ରମେ ଆଜି ସକାଳ ୬ଟାଠାରୁ କଣ୍ଟାମାଳ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି l ସକାଳୁ ସଚେତନ ନାଗରିକ ମଞ୍ଚ ସଭାପତି ଦୂତିଆ ଚରଣ ସାହୁଙ୍କ ନେତୃତ୍ୱରେ ସଚେତନ ନାଗରିକ ମଞ୍ଚ ସଦସ୍ୟ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ବଣିକ ସଂଘ ଓ ସ୍ଥାନୀୟ ଜନସାଧାରଣ ପିକେଟିଂ କରି କଣ୍ଟାମାଳ ଅଞ୍ଚଳର ସମସ୍ତ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଯାନବାହାନ ଚଳାଚଳକୁ ବନ୍ଦ କରିଥିଲେ l

ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ବହୁ ଗାଡ଼ି ମୋଟର ଦୀର୍ଘ ସମୟ ଉଭୟ ପାର୍ଶ୍ୱରେ ଅଟକି ରହିଥିଲା ଫଳରେ ଜନଜୀବନ ପ୍ରଭାବିତ ହେବା ସହ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ ହୋଇଛି ଏହି ଅବସରରେ ଏକ ସଚେତନତା ବାଇକ ରାଲି କଣ୍ଟାମାଳରୁ ବାହାରି ମଲ୍ଲିକୁଦ ପର୍ଯ୍ୟନ୍ତ ପରିକ୍ରମା କରିଥିଲା l ଏହି ବନ୍ଦ ପାଳନବେଳେ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ତିନି ଓ ଚାରି ଚକିଆ ଯାନବାହାନ ଚଳାଚଳ, ପେଟ୍ରୋଲ ପମ୍ପ ଆଦି ସମ୍ପୂର୍ଣ୍ଣ ବନ୍ଦ ଥିବା ଦେଖିବାକୁ ମିଳିଛି  l ଏପରିକି ସାପ୍ତାହିକ ହାଟ ମଧ୍ୟ ବନ୍ଦ ରହିଥିଲା l ତେବେ ଅତ୍ୟାବଶ୍ୟକ ଜରୁରୀ ସେବା ଭାବେ ଡାକ୍ତରଖାନା, ଔଷଧ ଦୋକାନ, ରୋଗୀ ସେଵା, କ୍ଷୀର ଓ ପରୀକ୍ଷା କେନ୍ଦ୍ର ଥିବା ସ୍କୁଲ ଆଦି ଖୋଲା ରହିଛି  l ବନ୍ଦ ପାଳନରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ସହ ଓକିଲ ସଂଘ, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ସାମ୍ବାଦିକ ସଂଘ ସମେତ ଅଂଚଳର ସଚେତନ ନାଗରିକ, ବିଭିନ୍ନ ସଂଗଠନର ସଦସ୍ୟ ଏବଂ ଦଳମତ ନିର୍ବିଶେଷରେ କଣ୍ଟାମାଳର ସମସ୍ତ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ଯୋଗଦେଇଥିଲେ  l