କଟକ,୨୨/୦୮: ଏସ୍ସିବିରେ କିଡ୍ନୀ ପ୍ରତିରୋପଣ ପରେ ୧୨୫ ରୋଗୀଙ୍କ ମୃତ୍ୟୁ ହେବା ଘଟଣାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି । କିଡ୍ନୀ ପ୍ରତିରୋପଣ ପରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଲାଗି ଗଙ୍ଗାଧର ପାଣିଗ୍ରାହୀ ହାଇକୋର୍ଟରେ ଏହି ମାମଲା ଦାଏର କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପ୍ରାଥମିକ ଶୁଣାଣି କରି କ୍ଷତିପୂରଣ ସଂକ୍ରାନ୍ତରେ ଜବାବ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୦ ତାରିଖକୁ ଧାର୍ଯ୍ୟ ହୋଇଛି ।
ଆବେଦନକାରୀ ପିଟିସନ୍ରେ ଦର୍ଶାଇଛନ୍ତି ଯେ, ଏସ୍ସିବିରେ ୨୦୧୯ ପୂର୍ବରୁ ୧୭୫ଜଣଙ୍କ କିଡ୍ନୀ ପ୍ରତିରୋପଣ କରାଯାଇଥିଲା । ସେଥିରୁ ୧୨୫ଜଣଙ୍କର ଇତିମଧ୍ୟରେ ଦେହାନ୍ତ ହୋଇଯାଇଛି । ପ୍ରତିରୋପଣ ପରବର୍ତ୍ତୀ ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଏଭଳି ରୋଗୀମାନେ ମୃତ୍ୟୁବରଣ କରୁଥିବା ସେ ଅଭିଯୋଗ କରିଛନ୍ତି । କିଡ୍ନୀ ପ୍ରତିରୋପଣରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସର୍ବସ୍ୱାନ୍ତ ହେଇଯାଉଥିବା ପରିବାରକୁ କ୍ଷତିପୂରଣ ପ୍ରଦାନ ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ହାଇକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପଦ୍ମନାଭ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି ।