କଟକ,୨୨/୦୮: ଏସ୍‌ସିବିରେ କିଡ୍‌ନୀ ପ୍ରତିରୋପଣ ପରେ ୧୨୫  ରୋଗୀଙ୍କ ମୃତ୍ୟୁ ହେବା ଘଟଣାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଦୁଇ ସପ୍ତାହ  ମଧ୍ୟରେ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି । କିଡ୍‌ନୀ ପ୍ରତିରୋପଣ  ପରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେମାନଙ୍କ  ପରିବାରକୁ କ୍ଷତିପୂରଣ ପ୍ରଦାନ ଲାଗି ଗଙ୍ଗାଧର ପାଣିଗ୍ରାହୀ ହାଇକୋର୍ଟରେ  ଏହି ମାମଲା ଦାଏର କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌  ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ  ମାମଲାର ପ୍ରାଥମିକ ଶୁଣାଣି କରି କ୍ଷତିପୂରଣ ସଂକ୍ରାନ୍ତରେ ଜବାବ ପ୍ରଦାନ ଲାଗି  ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୦ ତାରିଖକୁ  ଧାର୍ଯ୍ୟ ହୋଇଛି । 

ଆବେଦନକାରୀ ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, ଏସ୍‌ସିବିରେ  ୨୦୧୯ ପୂର୍ବରୁ ୧୭୫ଜଣଙ୍କ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା । ସେଥିରୁ  ୧୨୫ଜଣଙ୍କର ଇତିମଧ୍ୟରେ ଦେହାନ୍ତ ହୋଇଯାଇଛି । ପ୍ରତିରୋପଣ ପରବର୍ତ୍ତୀ  ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଏଭଳି ରୋଗୀମାନେ ମୃତ୍ୟୁବରଣ  କରୁଥିବା ସେ ଅଭିଯୋଗ କରିଛନ୍ତି । କିଡ୍‌ନୀ ପ୍ରତିରୋପଣରେ ଲକ୍ଷଲକ୍ଷ  ଟଙ୍କା ଖର୍ଚ୍ଚ କରି ସର୍ବସ୍ୱାନ୍ତ ହେଇଯାଉଥିବା ପରିବାରକୁ  କ୍ଷତିପୂରଣ ପ୍ରଦାନ ଲାଗି  ଅଦାଲତ ନିର୍ଦ୍ଦେଶ ଦେବାକୁ  ଆବେଦନକାରୀ ପ୍ରାର୍ଥନା  କରିଛନ୍ତି । ହାଇକୋର୍ଟ ଏହି ମାମଲାକୁ ବିଚାର ପାଇଁ  ଗ୍ରହଣ କରି ଉପରୋକ୍ତ  ନିର୍ଦ୍ଦେଶ ଦେଇଛନ୍ତି ।  ଆବେଦନକାରୀଙ୍କ ପକ୍ଷରୁ  ଆଇନଜୀବୀ ପଦ୍ମନାଭ  ଚୌଧୁରୀ ମାମଲା  ପରିଚାଳନା କରୁଛନ୍ତି ।