ଜୟପୁର,୧୩/୦୩: ଏଥର ଆଇପିଏଲରେ ଜଣେ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସେ ହେଉଛନ୍ତି  ଯୁବ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ । ତାଙ୍କୁ ଏଥର  ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାରେ କିଣିଛି । ବୈଭବଙ୍କ ବୟସ ମାତ୍ର ୧୩ ବର୍ଷ । ମାତ୍ର ୧୨ ବର୍ଷ ବୟସରେ ସେ  ବିହାର ପକ୍ଷରୁ ରଣଜୀ ଟ୍ରଫି ପଦାର୍ପଣ କରିଥିଲେ । ଇତି ମଧ୍ୟରେ ସେ ଭାରତୀୟ ୧୯ବର୍ଷରୁ କମ୍‌ ଦଳ ପକ୍ଷରୁ ଖେଳିସାରିଛନ୍ତି । ଗତ ବର୍ଷ ଅଷ୍ଟ୍ରେଲିଆ ୧୯ବର୍ଷରୁ କମ୍‌ ଦଳ ବିପକ୍ଷରେ ସେ ୫୮ଟି ବଲ୍‌ରୁ ଶତକ ଅର୍ଜନ କରିଥିଲେ । ୧୯ବର୍ଷରୁ କମ୍‌ ଏସିଆ କପ୍‌ରେ ସେ ୫ଟି  ମ୍ୟାଚ୍‌ ଖେଳି ସର୍ବାଧିକ ୧୭୬ ରନ ସଂଗ୍ରହ କରିଥିଲେ ।  

ସେ ବିଶ୍ୱର ସବୁ ଶ୍ରେଷ୍ଠ ବୋଲରଙ୍କୁ ସାମ୍ନା  କରିବାକୁ ପ୍ରସ୍ତୁତ ଥିବା ଅଧିନାୟକ ସଞ୍ଜୁ ସାମସନ  ପ୍ରକାଶ କରିଛନ୍ତି । ସାମସନ କହିଛନ୍ତି, ମୁଁ ନେଟ୍ସରେ  ବୈଭବଙ୍କ ବ୍ୟାଟିଂ ଦେଖୁଛି । ତାଙ୍କ ବିସ୍ଫୋରକ ବ୍ୟାଟିଂ  ବେଶ୍‌ ପ୍ରଭାବିତ କରିଛି । ନେଟ୍ସରେ ସବୁ ବୋଲରଙ୍କୁ  ସେ ଅତି ସହଜରେ ଛକା ମାରିପାରୁଛନ୍ତି । ଗ୍ରାଉଣ୍ଡର  ଚାରି ଆଡେ ସଟ୍‌ ଖେଳିବାର ଦକ୍ଷତା ତାଙ୍କ ନିକଟରେ  ରହିଛି । ସେ ସିନିୟର ସ୍ତରରେ ଖେଳିବାକୁ ପ୍ରସ୍ତୁତ  ବୋଲି ମୁଁ ଅନୁଭବ କରୁଛି । 

ସୂଚନାଯୋଗ୍ୟ, ରାଜସ୍ଥାନ  ରୟାଲ୍ସ ୨୩ ତାରିଖରେ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍‌ରେ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ।