ଭୁବନେଶ୍ୱର,୦୫/୦୧: ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବାକୁ  ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆବର୍ଷ ଭେଟି ଦେବାକୁ  ଯାଉଛନ୍ତି । ରାଜ୍ୟରେ ଆହୁରି ୧୪୭ଟି ‘ଆମ ହସ୍ପିଟାଲ୍‌’ ପ୍ରତିଷ୍ଠା  ହେବ । ଏନେଇ ଜିଲ୍ଲା ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।  

କେଉଁ ହସ୍ପିଟାଲ୍‌ରେ ‘ଆମ ହସ୍ପିଟାଲ୍‌’ ପ୍ରତିଷ୍ଠା ହେଲେ ଅଧିକ  ଲୋକ ଉପକୃତ ହେବେ, ତଜର୍ମା ଚାଲିଛି । ଜନସାଧାରଣଙ୍କ  ଆବଶ୍ୟକତାକୁ ଉପଲବ୍ଧ କରି ପ୍ରତି ନିର୍ବାଚନମଣ୍ଡଳୀରେ  ଏକାଧିକ ‘ଆମ ହସ୍ପିଟାଲ’ ମଧ୍ୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରହିଛି । ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା  ଚାଲିଛି । ଜିଲ୍ଲାପାଳମାନେ ଯେଉଁ ତାଲିକା ସ୍ୱାସ୍ଥ୍ୟ ବିଭାଗକୁ ଦେବେ,  ସେହି ଅନୁସାରେ ‘ଆମ ହସ୍ପିଟାଲ୍‌’ ପ୍ରତିଷ୍ଠା ହେବ । ଏହି ଦ୍ୱିତୀୟ  ପର୍ଯ୍ୟାୟ ‘ଆମ ହସ୍ପିଟାଲ୍‌’ ପାଇଁ ୧ ହଜାର କୋଟି ଟଙ୍କା ଖର୍ଚ୍ଚ  ଆକଳନ କରାଯାଇଛି । ଏହାଦ୍ୱାରା ରୋଗୀଙ୍କୁ ତୃଣମୂଳସ୍ତରରେ ଅତ୍ୟାଧୁନିକ ସେବା ମିଳିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । 

୨୦୨୩ ମସିହାରେ ରାଜ୍ୟରେ ୧୪୭ଟି ‘ଆମ  ହସ୍ପିଟାଲ୍‌’ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା । ସେଥିପାଇଁ  ୭୫୦କୋଟି ବଜେଟ୍‌ ରଖାଯାଇଥିଲା । ବର୍ତ୍ତମାନ ୧୪୭ଟି  ଆମ ହସ୍ପିଟାଲ କାର୍ଯ୍ୟକ୍ଷମ ହେଉଥିବା ବେଳେ ନୂଆ କରି ଆଉ ୧୪୭ଟି ଆମ ହସ୍ପିଟାଲ୍‌ ପ୍ରତିଷ୍ଠା କରାଯିବ।