ମାଲକାନଗିରି/କୋରୁକୋଣ୍ଡା,୧୧/୧୨: ମାଲକାନଗିରି ଜିଲ୍ଲା ଏମ୍‌ଭି-୨୬ ଗାଁରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଜାରି ରହିଛି ଉଦ୍ୟମ । ହିଂସା ମାମଲାରେ ଆଉ ୯ ଜଣଙ୍କୁ ଗିରଫ କରିଛି ମାଲକାନଗିରି ସଦର ଥାନା ପୁଲିସ। ଏହି ଘଟଣାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଅନ୍ୟମାନଙ୍କୁ ମଧ୍ୟ ଖୋଜୁଛି। ସେପଟେ ସୋମବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଇଣ୍ଟର୍‌ ନେଟ୍ ବଳବତ୍ତର ରହିବ । ଉତ୍ତେଜନା ପ୍ରବଣ ଅଞ୍ଚଳରୁ ବିଏନ୍ଏସ୍ ୧୬୩ ଧାରା ପ୍ରତ୍ୟାହାର କରାଯାଇଛି । ବିଦ୍ୟୁତ୍ ସଂଯୋଗ ଏବଂ ଜଳଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବାକୁ ଉଦ୍ୟମ ଜାରି ରହିଛି । ରାଜସ୍ୱ ବିଭାଗ ପକ୍ଷରୁ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଇଛି ।

ଏମ୍‌ଭି -୨୬ ଗାଁରେ କ୍ଷତିଗ୍ରସ୍ତ ହୋଇଛନ୍ତି ୨୪୦ ପରିବାର । ୩ କୋଟି ୮୦ ଲକ୍ଷର ସମ୍ପତ୍ତି ନଷ୍ଟ ହୋଇଛି । ବିପନ୍ନମାନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ ସହ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଏବଂ ଏସ୍‌ପି  ବିନୋଦ ପାଟିଲ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ଏବଂ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏମ୍ଭି-୨୬ ଗାଁରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଥଇଥାନ କାର୍ଯ୍ୟ । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଗାଁରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ଏଥିସହ ରିଲିଫ୍ କାର୍ଯ୍ୟ ତ୍ୱାରାନ୍ୱିତ କରିବା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତି ରହି କ୍ଷତିଗ୍ରସ୍ତଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି । ଗାଁରେ ଶାନ୍ତି ଫେରୁଥିବାରୁ ଦିନକୁ ଦିନ ଲୋକେ ଘରକୁ ଫେରୁଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୩ରୁ ୬ ବର୍ଷର ଶିଶୁଙ୍କ ପାଇଁ ୧୦ ଦିନର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ ଜାରି ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ ଚାଲୁ ରହିଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଆହୁରି କଡ଼ାକଡ଼ି କରାଯାଇଛି ।ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂ ଗାଁରେ ରହି ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିଛନ୍ତି । ଗାଁରେ ବିଏସ୍ଏଫ୍, ସିଆର୍ପିଏଫ୍, ଆର୍ଏଏଫ୍ ଓ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।