ନୂଆଦିଲ୍ଲୀ,୨୪/୧୧: ଦେଶର ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍ଆଇଆର) ଅଭିଯାନ ଭିତରେ ବିଏଲଓ (ବୁଥ ସ୍ତରୀୟ ଅଧିକାରୀ)ଙ୍କ ମୃତ୍ୟୁ ଚିନ୍ତାର କାରଣ ହୋଇଛି । ଗତ ୧୯ ଦିନରେ ୬ ରାଜ୍ୟରେ ୧୫ ଜଣ ବିଏଲ୍ଓଙ୍କ ମୃତ୍ୟୁ ଘଟିଲାଣି । ସେଥିରୁ କିଛି ଆତ୍ମହତ୍ୟା କରିଥିଲା ବେଳେ ଆଉ କିଛି ଦୁର୍ଘଟଣା ଓ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି ।
ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ୫ ଜଣ ବିଏଲଓ ପ୍ରାଣ ହରାଇଥିଲା ବେଳେ ଗୁଜରାଟରେ ୪, ମଧ୍ୟପ୍ରଦେଶରେ ୩ ଓ ପଶ୍ଚିମବଙ୍ଗରେ ୩ଜଣଙ୍କ ମୃତ୍ୟୁ ହୋଇଛି । ସଦ୍ୟତମ ଘଟଣା ମଧ୍ୟପ୍ରଦେଶରେ ସାମ୍ନାକୁ ଆସିଛି । ଗତ ୨୧ ତାରିଖ ରାତି ଓ ୨୨ ତାରିଖ ସକାଳୁ ଦୁଇଜଣ ବିଏଲ୍ଏ ରମାକାନ୍ତ ପାଣ୍ଡେ ଓ ସୀତାରାମ ଗୋଣ୍ଡ ପ୍ରାଣ ହରାଇଛନ୍ତି । ରମାକାନ୍ତ ବିଳମ୍ବିତ ରାତି ଯାଏ ଅନ୍ଲାଇନରେ ମିଟିଂରେ ସାମିଲ ଥିବା ବେଳେ ସକାଳୁ ଟଳି ପଡିଥିଲେ । ସେହିଭଳି ସୀତାରାମ ଫର୍ମ ପୂରଣ କରୁଥିବା ବେଳେ ଅସୁସ୍ଥ ହୋଇ ପ୍ରାଣ ହରାଇଛନ୍ତି । ନାରାୟଣ ସୋନି ନାମକ ଅନ୍ୟ ଜଣେ ବିଏଲ୍ଓ ଗତ ୬ ଦିନ ହେଲା ନିଖୋଜ ଅଛନ୍ତି । ଅତ୍ୟଧିକ କାର୍ଯ୍ୟ ଓ ଟାର୍ଗେଟ ଯୋଗୁ ସେ ଗଭୀର ମାନସିକ ଚାପରେ ଥିଲେ । ଭୋପାଳରେ କୀର୍ତ୍ତି କୌଶଳ ଓ ମହମ୍ମଦ ଲାଏକ ନାମକ ଦୁଇଜଣ ବିଏଲ୍ଓଙ୍କୁ ହୃଦ୍ଘାତ ଯୋଗୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ଶ୍ୟାମ ଶର୍ମା ନାମକ ଜଣେ ବିଏଲ୍ଓ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲା ବେଳେ ଉଦୟଭାନ ସିହରେ ନାମକ ଜଣେ ବିଏଲ୍ଓ ଗତ ୧୧ ତାରିଖରେ ଆତ୍ମହତ୍ୟା କରିଛନ୍ତି ।
ଗୁଜରାଟରେ ଗତ ୪ ଦିନରେ ୨ ଜଣ ବିଏଲ୍ଓ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ୨ଜଣ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି । ଆଉ ୨ ଜଣ ଅହମ୍ମଦାବାଦର ଫାରୁକ ଓ ଦାହୋଦର ବଚ୍ଚୁଭାଇ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାଜସ୍ଥାନର ଜୟପୁରରେ ମୁକେଶ ଜଙ୍ଗିଡ ନାମକ ଜଣେ ବିଏଲ୍ଓ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । କରୌଲିରେ ଅନ୍ୟ ଜଣେ ବିଏଲ୍ଓ ଆତ୍ମହତ୍ୟା କରିଥିଲା ବେଳେ ସାୱାଇ ମାଧୋପୁରରେ ଜଣେ ବିଏଲ୍ଓଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି । ସେହିପରି ପଶ୍ଚିମବଙ୍ଗରେ ଜଣେ ମହିଳା ବିଏଲ୍ଓ ରିଙ୍କୁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ପରିବାର କାର୍ଯ୍ୟଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଏହା ପୂର୍ବରୁ ରାଜ୍ୟରେ ଆଉ ୩ ଜଣ ବିଏଲ୍ଓ ଆତ୍ମହତ୍ୟା ମଧ୍ୟ କରିଥିଲେ । ସେହିଭଳି ତାମିଲନାଡୁ ଓ କେରଳରେ ଜଣେ ଲେଖାଏଁ ବିଲ୍ଓ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି ।