ଚଣ୍ଡିଗଡ, ୧୭/୦୨ : ହରିୟାଣାର ପଲୱାଲ ଜିଲ୍ଲା ଚୟନ୍ସା ଗ୍ରାମରେ ଅଜଣା ରୋଗ ଆତଙ୍କ। କିଛି ଦିନ ଭିତରେ ଅଜଣା ରୋଗରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ଭିତରେ ୯ ଜଣ ପିଲା ଅଛନ୍ତି । ଯାହାଙ୍କ ବୟସ ୧୧ରୁ ୧୪ ବର୍ଷ ଭିତରେ । ଆହୁରି ୩ ଜଣ ଗୁରୁତର ଅବସ୍ଥାରେ ନୁହ-ମେୱାତର ନାଲହାର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଗୋଟିଏ ମାସ ଭିତରେ ଏସବୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ଗାଁରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି ।
ଦୂଷିତ ପାଣି ପିଇବା ଯୋଗୁ ଏଭଳି ଘଟିଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଯେ ଗାଁକୁ ଆସିଥିବା ପାନୀୟ ଜଳ ପାଇପ ବହୁଦିନ ହେଲା ଫାଟି ଯାଇଛି । ଅଭିଯୋଗ ସତ୍ତ୍ଵେ ତାକୁ ମରାମତି କରାଯାଉନାହିଁ। ଏହି ଦୂଷିତ ପାଣି ପିଇ ଲୋକମାନେ ମୃତ୍ୟୁ ମୁଖରେ ପଡୁଛନ୍ତି।
ଖବର ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ଉକ୍ତ ଗାଁକୁ ପଠାଯାଇଛି। ଏବେ ସୁଦ୍ଧା ୪୦୦ରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରାଯାଇଛି। ୩୦୦ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପ୍ରାରମ୍ଭିକ ଯାଞ୍ଚରୁ ୨୧ ଜଣ ହେପାଟାଇଟିସ୍ ବି ଓ ସି'ରେ ସଂକ୍ରମିତ ହୋଇଥିବା ପରୀକ୍ଷା ପରେ ଜଣାପଡିଛି। ତେବେ ଏଥିରୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇନାହିଁ। ସ୍ଵାସ୍ଥ୍ୟ ଅଧିକାରୀମାନେ ପାଣିର ସାମ୍ପୁଲ ମଧ୍ୟ ସଂଗ୍ରହ କରିଛନ୍ତି। ପାଣିରୁ ବ୍ୟାକ୍ଟେରିଆ ମିଳିଛି। ଗାଁର ପାନୀୟ ଜଳରେ କ୍ଲୋରିନ ମାତ୍ରା ମଧ୍ୟ କମ୍ ଥିବା ଜଣାପଡ଼ିଛି।
ଚୟନ୍ସା ଗ୍ରାମରେ ଲୋକମାନେ ବିଭିନ୍ନ ଉତ୍ସରୁ ପାଣି ବ୍ୟବହାର କରନ୍ତି। କେତେକଙ୍କ ପାଖରେ ସରକାରୀ ଯୋଗାଣ ଅଛି, ଅନ୍ୟମାନେ ଟ୍ୟାଙ୍କର୍ ଏବଂ RO ପାଣି ବ୍ୟବହାର କରନ୍ତି। ଅନେକ ଘରେ ପାଣି ଦୀର୍ଘ ସମୟ ପର୍ଯ୍ୟନ୍ତ ଟାଙ୍କିରେ ଜମା ହୋଇ ରହିଥାଏ, ଯାହା ସଂକ୍ରମଣର ଆଶଙ୍କା ବୃଦ୍ଧି କରୁଛି। ସ୍ୱାସ୍ଥ୍ୟ ବିଭାଗ ଅନେକ ଡାକ୍ତରୀ ଦଳ ନିୟୋଜିତ କରିଛି। ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି, ଅନ୍ୟମାନଙ୍କୁ ବିଶୁଦ୍ଧ ପାଣି ପିଇବା, ଫୁଟା ପାଣି ବ୍ୟବହାର କରିବା ଏବଂ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ମୃତ୍ୟୁର ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଚାଲିଛି। କୌଣସି ଅବହେଳାକୁ ରୋକିବା ଏବଂ ଜୀବନ ରକ୍ଷା କରିବା ପାଇଁ ଗାଁରେ ନଜର ରଖାଯାଇଛି।
ଏହି ଖବରଟିକୁ ପଢନ୍ତୁ- ଫେବ୍ରୁଆରୀରେ ଇତିହାସ ରଚିବାକୁ ଯାଉଛି ଭାରତ ; ପ୍ରଥମ ଥର ଦେଶରେ ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକ୍ଚରିଂ ହେବ ଆରମ୍ଭ